Latest Odisha News

BREAKING NEWS

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଇନ୍ସପେକ୍ଟର ଗିରଫ

ଭୁବନେଶ୍ୱର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ସବ-ଇନ୍ସପେକ୍ଟର (ଏସ୍ଆଇ)ଙ୍କୁ ବହୁ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି। ଯିଏକି ୨୦୧୭ରେ ରାଜ୍ୟ ପୋଲିସରେ ଯୋଗ ଦେଇଥିଲେ। ତାଙ୍କୁ ସମ୍ପ୍ରତି ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ପଦବୀକୁ ପଦୋନ୍ନତି ଦିଆଯାଇ କଳାହାଣ୍ଡିରେ ନିଯୁକ୍ତି ଦିଆଯାଇଥିଲା।

ମହିଳା ପୋଲିସ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଯଶୋବନ୍ତ ଆଚାର୍ଯ୍ୟଙ୍କୁ ହେପାଜତକୁ ନିଆଯାଇଥିଲା। ପ୍ରାୟ ଆଠ ବର୍ଷ ପୂର୍ବେ ମହିଳା ଏସଆଇଙ୍କ ସହ ଯଶୋବନ୍ତଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ସେ ବହୁ ବର୍ଷ ପୂର୍ବେ ତାଙ୍କ ସମ୍ମୁଖରେ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ରଖିଥିଲେ ବୋଲି ଜଣାପଡ଼ିଛି। ତେବେ ଇନ୍ସପେକ୍ଟର ଜଣକ ୨୦୧୮ରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଯଶୋବନ୍ତ ଗତ ପ୍ରାୟ ସାତ ବର୍ଷ ଧରି ମହିଳା ଏସଆଇଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ଥିଲେ। ସେ ଗଂଜାମ, ଗଜପତି ଏବଂ ଭୁବନେଶ୍ୱରରେ ପୋଷ୍ଟିଂ ସମୟରେ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲେ। ଏପରିକି ସେ ଗର୍ଭବତୀ ହେବା ପରେ ଯଶୋବନ୍ତ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ ମଧ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ଯଶୋବନ୍ତ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଏକ ପୁଅ ମଧ୍ୟ ଅଛି ବୋଲି ଜାଣିବାକୁ ପାଇଥିଲେ ମହିଳା ଏସଆଇ। ଯାହା ପରେ ସେ ରାଜଧାନୀର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ମହିଳା ଥାନା ପକ୍ଷରୁ ଯଶୋବନ୍ତଙ୍କୁ ଗିରଫ କରାଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.