ଭୁବନେଶ୍ୱର: ଓଡ଼ିଶା ପୋଲିସ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ (LWE) ବିରୁଦ୍ଧରେ ଏକ ପୋଷ୍ଟର ଅଭିଯାନ ଆରମ୍ଭ କରିଛି। ଯେଉଁଥିରେ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ କରାଯାଇଥିବା ଖବର ମିଳିଛି। ତାଲିକାଭୁକ୍ତ କ୍ୟାଡରମାନଙ୍କୁ ଧରିବା ନେଇ ଯେଉଁମାନେ ସୂଚନା ପ୍ରଦାନ କରିବେ ସେମାନଙ୍କ ପାଇଁ ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
“ମାଓବାଦୀଙ୍କୁ ଧରାଇ ପୁରସ୍କାର ନିଅନ୍ତୁ” ବୋଲି ପୋଷ୍ଟର ମଧ୍ୟ ଲଗାଯାଇଛି। ଏଥିସହିତ ମାଓବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଏହି ଅଭିଯାନରେ ଜନସାଧାରଣଙ୍କଠାରୁ ପୋଲିସ ସହଯୋଗ ମଧ୍ୟ ଲୋଡ଼ିଛି।
ତେବେ ପୋଷ୍ଟରରେ ୧୫ ଜଣ ମାଓ କ୍ୟାଡରଙ୍କ ଫଟୋ ଦିଆଯାଇଛି ଓ ସେମାନଙ୍କ ସ୍ଥାନ ସମ୍ପର୍କରେ ସୂଚନା ଜନିତ ପୁରସ୍କାର ରାଶି ମଧ୍ଯ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ନୂଆପଡା-ବଲାଙ୍ଗିର-ବରଗଡ଼ ଗନ୍ଧମାର୍ଦ୍ଦନ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ଭାବରେ ଚିହ୍ନଟ ସୁଦର୍ଶନ ଓରଫ ବିକାଶଙ୍କ ପାଇଁ ସର୍ବାଧିକ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ପୋଷ୍ଟର ମାନଙ୍କରେ ପୋଲିସର ଯୋଗାଯୋଗ ନମ୍ବର ଦେବା ସହ ସୂଚନାଦାତାଙ୍କ ପରିଚୟକୁ ଗୋପନୀୟ ରଖାଯିବ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି।
ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି ବୋଲି କୁହାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଆକଳନ କରୁଛନ୍ତି ଯେ ଅବଶିଷ୍ଟ କ୍ୟାଡରମାନେ ଚାରିରୁ ପାଞ୍ଚ ଜଣ ସଦସ୍ୟ ଛୋଟ ଗୋଷ୍ଠୀରେ କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ପ୍ରାୟ ୧୪ରୁ ୧୫ ଜଣ ସଦସ୍ୟ ଥିବା କୁହାଯାଉଛି।
Comments are closed.