ଭୁବନେଶ୍ଵର: ଗତ ନଭେମ୍ବର ୧୮ରୁ ୨୩ ତାରିଖ ଯାଏଁ ଚାଲିଥିବା ପୋଲିସର ସ୍ପେଶାଲ ଡ୍ରାଇଭରେ ୩୩୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ୩୦୬ ଜଣ ବାଳିକା ଥିବା ବେଳେ ୨୮ ଜଣ ବାଳକ ଅଛନ୍ତି । ରାଜ୍ୟ ତଥା ବାହାର ରାଜ୍ୟରୁ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସର୍ବାଧିକ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି ଭଦ୍ରକ ଜିଲ୍ଲା ପୋଲିସ ।
ସୂଚନାଯୋଗ୍ୟ, ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ୟମରେ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ତତ୍ତ୍ୱାବଧାନରେ କରାଯାଇଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋତ୍କୃଷ୍ଟ ଜିଲ୍ଲାର ମାନ୍ୟତା ହାସଲ କରିଛି।