କଟକ: କୋଲକାତାର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜଣେ ମହିଳା କରିଥିବା ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଏକ ଟିମ୍ କୋଲକାତା ଯିବ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ମଙ୍ଗଳବାର ଏହି ଚାରି ଜଣିଆ ଟିମ୍ କୋଲକାତା ଯାଇପାରନ୍ତି। ଏହି ଟିମରେ ସ୍ପେଶାଲ ସ୍କ୍ବାର୍ଡ ଓ ମହିଳା ପୁଲିସର ସଦସ୍ୟ ରହିଛନ୍ତି।
କଟକର ମହିଳା ପୁଲିସ ଆଗରେ କଣ୍ଠଶିଳ୍ପୀ ବୟାନ ଦେବାରେ ବିଫଳ ହେବାରୁ କମିସନରେଟ୍ ପୁଲିସ ଏହି ଟିମ୍କୁ କୋଲକାତା ପଠାଇବାକୁ ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କଟକ ମହିଳା ଥାନାର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଓ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦସ୍ୟଙ୍କୁ ନେଇ ଗଠିତ ଏହି ଟିମ୍ କୋଲକାତା ଯାଇ ଅଭିଯୋଗର ତଦନ୍ତ କରିବ। ଥାନାରେ ଏତଲା ହେବାପରଠୁ କଣ୍ଠଶିଳ୍ପୀଙ୍କ ମୋବାଇଲ ଫୋନ୍ ବନ୍ଦ ରହିଛି। ସେହିପରି ସିଡିଏରେ ଯେଉଁ ଘରେ କଣ୍ଠଶିଳ୍ପୀ ଜଣଙ୍କ ରହୁଥିଲେ ତାହା ମଧ୍ୟ ବନ୍ଦ ରହିଛି। ତେଣୁ ଘର ମାଲିକଙ୍କୁ ମଧ୍ୟ ନୋଟିସ୍ କରିଛି ପୋଲିସ।
ମହିଳା ଜଣକ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ଶୋଷଣ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ ଆଣିବା ପରେ ଭଟ୍ଟ ଏବେ ଅଡୁଆରେ ପଡିଛନ୍ତି।
ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଅଭିଯୋଗକାରୀ ଜଗତପୁର ଥାନାରେ ଅଭିଯୋଗ କରିଥିଲେ, ପରେ ଏହି ମାମଲାକୁ ମହିଳା ଥାନାକୁ ପଠାଯାଇଥିଲା। ଏ ନେଇ ଧାରା ୩୭୬, ୪୯୩, ୩୪୧, ୨୯୪, ୪୧୭ ଏବଂ ୫୦୬ ଦଫା ଲାଗିଛି। ପୁଲିସ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ମହିଳା ଜଣକ ପାଖାପାଖି ତିନି ବର୍ଷ ତଳେ ଏହି ପ୍ଲେବ୍ୟାକ୍ ସିଙ୍ଗରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନଙ୍କ ପରିବାର ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ। ଏପରିକି ଭଟ୍ଟ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ଜଣେ ଗାୟିକା ଭାବେ ବ୍ରେକ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ ରହିଛି। ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି ଅଭିଯୋଗକାରୀ।
Comments are closed.