Latest Odisha News

ବିକ୍ଷୋଭକାରୀଙ୍କୁ ଡରାଇବ ବିଦ୍ୟୁତ୍ ଲାଠି, ଲୋୟର ପିଏମଜିରୁ ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିବା ବିକ୍ଷୋଭକାରୀଙ୍କୁ ଏବେ ସାବାଡ୍ କରିବ ବିଦ୍ୟୁତ୍ ଲାଠି । ଏହି ବିଦ୍ୟୁତ୍ ଲାଠିରେ କାହାର କିଛି କ୍ଷତି ହେବନି, କେବଳ ଯାହା ଆନ୍ଦୋଳନକାରୀଙ୍କୁ କରେଣ୍ଟ୍ ଝଟକା ଲାଗିବ ।

ରାଜ୍ୟ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏଭଳି ୧୦୦ଟି ଲାଠି କିଣିବା ଲାଗି ଯୋଜନା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଲାଠିର ବ୍ୟବହାର ଲୋୟର୍ ପିଏମଜିରୁ ଆରମ୍ଭ କରାଯିବ ।

ଏସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଲୋୟର ପିଏମଜିରେ ଦିନକୁ ଦିନ ଧାରଣା, ର‌୍ୟାଲି ଓ ବିକ୍ଷୋଭ ପ୍ରଦର୍ଶନ ବଢୁଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଏହି ଲାଠିର ବ୍ୟବହାର କରାଯିବ । ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସହର ଓ ଶିଳ୍ପାଞ୍ଚଳ ନିକଟରେ ଏହାର ବ୍ୟବହାର କରାଯିବ ।

ଅନେକ ସମୟରେ ବିଭିନ୍ନ ଦାବିକରି ବିକ୍ଷୋଭକାରୀମାନେ ଅତ୍ୟନ୍ତ ଉତ୍ତେଜିତ ହୋଇ ଆଇନକୁ ହାତକୁ ନେବା ସହ ସରକାରୀ ସମ୍ପତ୍ତିକୁ ଭଙ୍ଗାରୁଜା କରିବାକୁ ମଧ୍ୟ ପଛାନ୍ତି ନାହିଁ । ଏପରିକି ଜାତୀୟ ତଥା ରାଜ୍ୟ ରାଜପଥକୁ ଘଣ୍ଟାଘଣ୍ଟା ଧରି ଅବରୋଧ କରିଥାନ୍ତି । ବେଳେବେଳେ ପୋଲିସ ମଧ୍ୟ ସେମାନଙ୍କର ଆକ୍ରୋଶର ଶୀକାର ହୋଇଥାଏ । ଏଭଳି ପରିସ୍ଥିତିରେ ପୋଲିସ ଅନ୍ୟନୋପାୟ ହୋଇ ପ୍ରଥମେ ପାଣିମାଡ, ଲୁହବୁହା ଗ୍ୟାସ୍ ଓ ଲାଠି ଚାର୍ଜ ମଧ୍ୟ କରିଥାନ୍ତି ।

ଯାହାକୁ ନେଇ ବେଳେବେଳେ ପୋଲିସ ବିରୋଧରେ ମଧ୍ୟ ଅଭିଯୋଗ ଆସିଥାଏ । ଯାହା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ଲାଠି ଚାର୍ଜ ଦ୍ୱାରା ଅନେକ ଆହତ ହେଉଥିବା ବେଳେ ଏହି ବିଦ୍ୟୁତ୍ ଲାଠିର ପ୍ରୟୋଗରେ କାହାର କିଛି କ୍ଷତି ହେବ ନାହିଁ ବୋଲି ରାଜ୍ୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏହି ବିଦ୍ୟୁତ୍ ଲାଠି ବର୍ତ୍ତମାନ ସମୟରେ କାଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟ ପୋଲିସ ଏବଂ ଦେଶର କେତେକ ମେଟ୍ରୋ ପୋଲିସ ପାଖରେ ରହିଛି ।

ଆହୁରି ମଧ୍ୟ ଏନସିଆରବି ତଥ୍ୟ ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ପାଖାପାଖି ୨୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା । ଯାହା ସାରା ଦେଶରେ ସର୍ବାଧିକ ରହିଥିଲା । ସେଥିମଧ୍ୟରୁ ୮୧ଟି ଦଙ୍ଗା ତଥା ବିକ୍ଷୋଭ ପ୍ରଦର୍ଶନ ଶିଳ୍ପାଞ୍ଚଳରେ ହୋଇଥିଲା ।

ଜାଣନ୍ତୁ, ବିଦ୍ୟୁତ୍ ଲାଠି ସମ୍ପର୍କରେ

ଆଲୁମିନିୟମ୍ ନିର୍ମିତ, ଏଲଇଡି ଫ୍ଲାସ୍ ଲାଇଟ୍ ସହିତ ଏକ ରିଚାର୍ଜବେଲ୍ ଉପକରଣ
ଓଜନ- ୫୩୯ ଗ୍ରାମ୍
ଆକାର ୪୨୦ ମିମି. ଲମ୍ବା ଓ ମୋଟେଇ ୩୪ ମିମି.
ଏହି ଲାଠି ପ୍ରୟୋଗ ଫଳରେ କରେଣ୍ଟ ଲାଗିବ କିନ୍ତୁ ଆହତ କିମ୍ବା କୌଣସି ଅଘଟଣ ଘଟିବ ନାହିଁ ।

 

Comments are closed.