Latest Odisha News

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ କ’ଣ ଚୁକ୍ତି ହେଲା?

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା (ଏମ୍ ଆଇଓ) କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ବିଶ୍ଵସ୍ଥରୀୟ ସମାବେଶରେ ବିଶ୍ଵର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ । ଓଡ଼ିଶାରେ ନିବେଶପାଇଁ ଉପସ୍ଥିତ ଅନେକ ନିବେଶକଙ୍କ ମଧ୍ୟରେ ବହୁ ଆଗ୍ରହ ଦେଖିବାକୁ ମିଳିଥିଲା । ବିଶ୍ଵର ପ୍ରତିଷ୍ଠିତ କମ୍ପାନୀ ଯଥା ଇଣ୍ଟେଲ, ଓରାକେଲ, ଗ୍ଲୋବାଲଫାଉଣ୍ଡରି, ଜୁପିଟର ସୋଲାର, ଡେଲୋଏଟ, ଆଇବିଏମ, ହାପିଏଷ୍ଟ ମାଇଣ୍ଡସ, ଆଦାନୀ ଗ୍ରୁପ, ରେଲଟେଲ, ଆଡ଼ୋବେ ଆର୍ନଷ୍ଟ ଆଣ୍ଡ ୟଙ୍ଗ ଏବଂ ଆରୋନ କ୍ୟାପିଟାଲ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ସହିତ ନିବେଶ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡ଼ୋବେ, ଓରାକେଲ, ଗ୍ଲୋବାଲଫାଉଣ୍ଡରିଜ, ଏପିକ ଫାଉନଡେଶନ ଆଦି କମ୍ପାନୀମାନଙ୍କ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ୧୦,୭୪୦ କୋଟି ଟଙ୍କାର ନିବେଶ ପାଇଁ ହୋଇଥିବା ଏହି ପ୍ରତିବଦ୍ଧତା ଏବଂ ବୁଝାମଣାପତ୍ର ଫଳରେ ରାଜ୍ୟରେ ପାଖାପାଖି ୪୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏହାଦ୍ଵାରା ଓଡ଼ିଶାର ଅନେକ ଶିକ୍ଷିତ ଯୁବକ ଯୁବତୀ ଲାଭପ୍ରଦ ହେବେ ।

ପ୍ରତିବଦ୍ଧତା ଏବଂ ବୁଝାମଣାପତ୍ର ବିବରଣୀ

ରେଲଟେଲ – ରେଲଟେଲ (RailTel) ହେଉଛି ରେଳ ମନ୍ତ୍ରଣାଳୟର ଏକ ତାଲିକାଭୁକ୍ତ ସିପିଏସୟୁ(CPSU) ଏବଂ ଦେଶର ପ୍ରତିଷ୍ଠିତ ନିରପେକ୍ଷ ଭିତ୍ତିଭୂମି ଟେଲିକମ୍ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ । ରାଜ୍ୟ ସରକାର ଏବଂ ରେଲଟେଲ(RailTel) ମଧ୍ୟରେ ସ୍ଵାକ୍ଷର ହୋଇଥିବା ଏହିଭଳି ଏମଓୟୁ (MoU) ନିଆରା, ଏହାପୂର୍ବରୁ କୌଣସି ଅନ୍ୟ ରାଜ୍ୟ ସହିତ ଏହିଭଳି ବୁଝାମଣାପତ୍ର ସ୍ଵାକ୍ଷର ହୋଇନାହିଁ । ଏହା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିନିଯୋଗ କ୍ଷେତ୍ରରେ ଏହା ଆମ ରାଜ୍ୟ ପାଇଁ ଅନେକ ସୁଯୋଗ ଆଣିଦେବ । ରେଲଟେଲ ପୁରୀରେ ଏକ ନିରପେକ୍ଷ ବୁଡ଼ାଜାହାଜ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାରେ ସରକାରଙ୍କ ସହ ସହଯୋଗ କରିବ ଯାହା ତଥ୍ୟ ସଂଯୋଗିକରଣକୁ ଅଧିକ ଉନ୍ନତ କରିବ ଏବଂ ରାଜ୍ୟର ଆଇଟି କ୍ଷେତ୍ରର ଅଧିକ ଅଭିବୃଦ୍ଧିକୁ ସୁଗମ କରିବ ।

ଇଣ୍ଟେଲ – ଓଡ଼ିଶା ସରକାର ଏବଂ ଇଣ୍ଟେଲ ମଧ୍ୟରେ ହୋଇଥିବା ଏହି ବୁଝାମଣା ମୁତାବିକ, ଇଣ୍ଟେଲ ଟେକନୋଲଜି କ୍ଷେତ୍ରରେ ହେଉଥିବା ଉନ୍ନତିକରଣ ଯଥା ଇନଡସ୍ଟ୍ରି-୪.୦, ଆଇଓଟି, ଏଆଇ/ଏମଏଲ, 5ଜି, ୱେୟାରଲେସ୍ ସେନସର୍ ନେଟୱାର୍କ, ଏଆର/ଭିଆର/ଏକ୍ସଆର ଭଳି ନୂତନ ବିଷୟରେ ବିଭାଗର ନଲେଜ ପାର୍ଟନର ଭୂମିକା ନିର୍ବାହ କରିବ । ଏହି ସହଭାଗୀତାର ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳରେ ଉପଲବ୍ଧ ନେଟୱାର୍କ ବ୍ୟବସ୍ଥାକୁ ୱେୟାରଲେସ୍ ସେନସର୍ ନେଟୱାର୍କରେ ପରିଣତ କରିବା, ସରକାରୀ ବ୍ୟବସ୍ଥାରେ ଅତ୍ୟାଧୁନିକ ଟେକ୍ନିକାଲ ଉନ୍ନତିକରଣକୁ ସାମିଲ କରିବା, ସାର୍ବଜନୀନ ପରିବହନକୁ ଅଧିକ ସୁରକ୍ଷିତ ଏବଂ ସୁଦୃଢ କରିବା, ଡାଟାସେଟ୍ ଆକସେସ୍ ପ୍ରଦାନ କରିବା ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ ।

ଆଡୋବ – ଏହି ବୁଝାମଣାପତ୍ରରେ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍-ମାନଙ୍କ ଡିଜିଟାଲ୍ ଶିକ୍ଷା ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବା ପାଇଁ ଆଡୋବ ଓଡ଼ିଶା ସରକାରଙ୍କ ସହ ସହଯୋଗ କରିବେ ।

ଓରାକେଲ – ଏହା ପୂର୍ବରୁ ମଧ୍ୟ ଓରାକେଲ ରାଜ୍ୟ ସରକାରଙ୍କ ସହିତ ଏକ ଚୁକ୍ତିସ୍ୱାକ୍ଷର କରିଥିଲା । ପୁନର୍ବାର, ଓରାକେଲ ଏକାଡେମୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଦିଗରେ ଆସନ୍ତା ଚାରି ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି । ଓରାକେଲ୍ ଏକାଡେମୀ ସମଗ୍ର ବିଶ୍ୱରେ ଶିକ୍ଷାନୁଷ୍ଠାନ, ଶିକ୍ଷାବିତ୍, ଏବଂ ବୈଷୟିକ ଅଂଶୀଦାରମାନଙ୍କ ସହିତ ମିଶି ବୈଷୟିକ ଦକ୍ଷତାବୃଦ୍ଧି କ୍ଷେତ୍ରରେ କାର୍ଯ୍ୟକରେ ଏହି ପ୍ରୟାସ ଦ୍ଵାରା ଓଡ଼ିଶାର ଅନେକ ପ୍ରତିଭା ବୈଷୟିକ ବିଜ୍ଞାନ ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଲାଭବାନ ହୋଇପାରିବେ ।

ଗ୍ଲୋବାଲଫାଉଣ୍ଡରିଜ- ଗ୍ଲୋବାଲ୍ ଫାଉଣ୍ଡ୍ରିଜ୍, ବିଶ୍ୱର ଅନ୍ୟତମ ଅଗ୍ରଣୀ ସେମିକଣ୍ଡକ୍ଟର ନିର୍ମାତା ଯାହା ସେମିକଣ୍ଡକ୍ଟର ଡିଜାଇନ୍, ଏବଂ ପ୍ରସ୍ତୁତି କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶାର ଇଞ୍ଜିନିୟରିଂ ଅନୁଷ୍ଠାନମାନଙ୍କରେ ସେମିକଣ୍ଡକ୍ଟର ଉତ୍ପାଦନ ସମ୍ବନ୍ଧୀୟ ପାଠ୍ୟକ୍ରମ ଡିଜାଇନ୍ ଏବଂ ତାଲିମ, ନବସୃଜନ ଲ୍ୟାବ୍ ସେଟ୍ ଅପ୍ ଏବଂ ଷ୍ଟାର୍ଟ ଅପ୍ ମଧ୍ୟରେ ଡିଜାଇନ୍ ବିଶେଷଜ୍ଞତାର ବିକାଶ ଭଳି କ୍ଷେତ୍ରରେ ସରକାରଙ୍କ ସହ ସହଯୋଗ କରିବ |

ଏପିକ ଫାଉନଡେଶନ – ଏଚସିଏଲ(HCL)ର ସହ-ପ୍ରତିଷ୍ଠାତା ଡକ୍ଟର ଅଜୟ ଚୌଧୁରୀ, ସେମିକଣ୍ଡକ୍ଟର ଶିଳ୍ପର ଭେଟେରାନ ଡକ୍ଟର ସତ୍ୟ ଗୁପ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଣ-ଲାଭ-ଜନକ(not-for-profit) ସଂଗଠନ ଇପିଆଇସି ଫାଉଣ୍ଡେସନ ଏବଂ ଅନ୍ୟ କେତେକ ସଂସ୍ଥା ଟ୍ୟାବଲେଟ-ପିସି ପରି ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉତ୍ପାଦନରେ ରାଜ୍ୟର କ୍ଷମତା ବୃଦ୍ଧି କରିବାରେ ସରକାରଙ୍କ ସହ ସହଯୋଗ କରିବେ।

ଓଡ଼ିଶାରେ ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ନିବେଶକମାନଙ୍କ ଉତ୍ସାହ ଏବଂ ଆଗ୍ରହ ଏକ ସମୃଦ୍ଧ ଓଡିଶାର ଆଭାସ ଦେଉଛି, ଏହାଦ୍ଵାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେବାସହିତ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଅନେକ ଶିକ୍ଷିତ ଯୁବକ ଯୁବତୀ ଲାଭପ୍ରଦ ହେବେ ।

Comments are closed.