Latest Odisha News

ରାଜ୍ୟରେ କୋଭିଡରେ ଆଉ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ଆଉ ୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୩ ଓ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ କୋଭିଡରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୯ ହଜାର ୧୭୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଭୁବନେଶ୍ୱରର ୭୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ଶ୍ୱାସରୋଗ ସହ ମଧୁମେହରେ ଆକ୍ରାନ୍ତ ଥିଲେ । ସେହିଭଳି କେନ୍ଦୁଝରର ୪୫ ବର୍ଷୀୟ ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି ।

ଏବେ ରାଜ୍ୟରେ ୧୯୮୭ଟି ସକ୍ରିୟ କୋଭିଡ୍ ସଂକ୍ରମଣ ମାମଲା ରହିଛି । କୋଭିଡରୁ ମୋଟ ୧୩ ଲକ୍ଷ ୧୫ ହଜାର ୧୭୩ ଜଣ ସୁସ୍ଥ ହୋଇଥିବା ବେଳେ ଏଯାଏଁ ୧୩ ଲକ୍ଷ ୨୬ ହଜାର ୩୮୩ଟି କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

Comments are closed.