Latest Odisha News

BREAKING NEWS

ରାଜ୍ୟରେ ଆବଶ୍ୟକ ଜଳ ଅମଳ ପ୍ରକଳ୍ପ; ଭୂତଳ ଜଳ ରିଚାର୍ଜ ପାଇଁ ୪୯.୨୩ କୋଟିର ଯୋଜନା

ଭୁବନେଶ୍ୱର : ଭୂତଳ ଜଳ ସ୍ତର ରିଚାର୍ଜ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନୂତନ ଯୋଜନାରେ କୃତ୍ରିମ ରିଚାର୍ଜ ଯୋଗୁଁ ଭୂତଳ ଜଳ ସ୍ତର ବୃଦ୍ଧି ସହିତ ଜଳର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାଯାଇଛି ।

ଗତ ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ‘ଛତା’ ନାମରେ ଏକ ଜଳ ସଂରକ୍ଷଣ ଯୋଜନା ଆଣିଛନ୍ତି । ଜଳ ଅମଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଆସିଥିବା କୁହାଯାଇଛି । ଏହି ଯୋଜନାକୁ ଗୋଷ୍ଠୀ ଭିତ୍ତିକ ଭାବେ ପ୍ରସ୍ତୁତ କରାଯାଇଛି । ପ୍ରଥମେ ୨୯ ହଜାର ୫୦୦ ଘରୋଇ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ କାର୍ଯ୍ୟକାରୀ ହେବ।

ଏହି ଯୋଜନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ୫୨ଟି ବ୍ଲକ ଓ ୨୭ଟି ପୌରାଞ୍ଚଳରେ ପ୍ରତିଷ୍ଠା କରାଯିବ ।

ଏଥିରେ ୨୭୦ କୋଟି ଟଙ୍କା ବ୍ୟୟ ହେବାର ଯୋଜନା ରହିଛି । ଯେଉଁମାନେ ନିଜ ଘରର ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କରିବେ ସେମାନଙ୍କୁ ରାଜ୍ୟ ସରକାର ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ସର୍ବାଧିକ ୫୫,୦୦୦ ଟଙ୍କାର ସବସିଡି ପ୍ରଦାନ କରିବେ ।

ଜଳ ସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ୫ବର୍ଷ ପାଇଁ ୪୯.୨୩ କୋଟି ଟଙ୍କାରେ ଯୋଜନା କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି ହୋଇଛି । ଏହି ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦିଆଯିବ ।

୬୫ ପ୍ରତିଶତରୁ ଅଧିକ ଭୂତଳ ଜଳ ନିଷ୍କାସିତ ହେଉଥିବା ୩୨ ବ୍ଲକରେ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୪୦୦ ଟି ପୋଖରୀ ଓ ଜଳାଶୟରେ ଭୂତଳ ଜଳ ରିଜାର୍ଚ ପ୍ରକଳ୍ପ ସ୍ଥାପନ କରାଯିବ ।

ପ୍ରଥମ ଚାରି ବର୍ଷରେ ବର୍ଷକୁ ୪୯୦ଟି କରି ଏଭଳି ପ୍ରକଳ୍ପ ସ୍ଥାପନ ହେବ ଏବଂ ଶେଷ ବର୍ଷ ଅର୍ଥାତ୍‍ ୨୦୨୬-୨୭ରେ ଅବଶିଷ୍ଟ ୪୪୦ଟି ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି । ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଣି ପଞ୍ଚାୟତ ହାତରେ । ଜଳ ସଂପଦ ବିଭାଗ ଦେଉଥିବା ଅର୍ଥରେ ପାଣି ପଞ୍ଚାୟତ ଏହାର ଦାୟିତ୍ୱ ନେବେ ।

ରାଜ୍ୟ ଭୂତଳ ଜଳ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ର ଜଳ ବୋର୍ଡର ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ବାର୍ଷିକ ଭୂତଳ ଜଳ ରିଚାର୍ଜ ପରିମାଣ ୧୭.୦୮ ବିଲିୟନ କ୍ୟୁବିକ ମିଟର (ବିସିଏମ) ହୋଇଥିବାବେଳେ ବାର୍ଷିକ ପ୍ରାକୃତିକ ନିଷ୍କାସନ ପରିମାଣ ୧.୩୭ ବିଏସିଏମ ରହିଛି ।

ସେହିଭଳି ବର୍ଷକୁ ମାଟିତଳୁ ୧୫.୭୧ ବିସିଏମ୍‍ ଜଳ ନିଷ୍କାସନ କରାଯାଉଛି । ଯାଜପୁର ଏବଂ ନୂଆପଡା ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଭୂତଳ ଜଳ ନିଷ୍କାସନ ହେଉଥିବା ବେଳେ ମାଲକାନଗିରିରେ ଏହା ସବୁଠାରୁ କମ୍‍ ୧୬.୦୫ ପ୍ରତିଶତ ରହିଛି।

ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୩୦୨ଟି ସୁରକ୍ଷିତ ଥିବାବେଳେ ୬ଟି ସାମାନ୍ୟ ଗୁରୁତର ଏବଂ ୬ଟି ଲବଣାକ୍ତ ରହିଛି । ଏହି ୬ଟି ସାମାନ୍ୟ ଗୁରୁତର ବ୍ଲକଗୁଡିକ ହେଉଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର, ଖୋରଧାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ।

ଛଅଟି ଲବଣାକ୍ତ ଜଳ ଉତ୍ସ ଥିବା ବ୍ଲକ ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଜଗତସିଂହପୁର ଜିଲ୍ଲାର ଏରସମା, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା, ମାର୍ଶାଘାଇ, ରାଜକନିକା ଏବଂ ରାଜନଗର । ତେବେ ରାଜ୍ୟର ୧୪ ପ୍ରତିଶତ ଅର୍ଥାତ୍‍ ୬୪ଟି ବ୍ଲକରେ ଭୂତଳ ଜଳ ନିଷ୍କାସନ ପରିମାଣ ୬୦ରୁ ୭୦ ପ୍ରତିଶତ ମଧ୍ୟରେ ରହିଥିବା ଜଣାଯାଇଛି ।

Leave A Reply

Your email address will not be published.