ଭୁବନେଶ୍ଵର: କଲବଲ କରୁଛି ତାତି । ତାଉ ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଆଜି ସାଢ଼େ ୧୧ରେ ଝାରସୁଗୁଡ଼ାରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି । ଝାରସୁଗୁଡାରେ ତାପମାତ୍ରା ୩୭.୮ ଥିବା ବେଳେ ହୀରାକୁଦରେ ୩୭ ଓ ସମ୍ବଲପୁର ୩୬ ଡିଗ୍ରୀ ରହିଛି ତାପମାତ୍ରା ।
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି । ତେବେ ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହେଉଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର। ଗତକାଲି ବୌଦ୍ଧର ତାପମାତ୍ରା ଥିଲା ୪୩.୬ ଡିଗ୍ରୀ ସେଲସିଅସ୍ ଛୁଇଁଥିଲା । ସେହିପରି ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ।
ସେପଟେ ଆସନ୍ତାକାଲିଠୁ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ , ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ଯାଏଁ ପୂର୍ବାନୁମାନ କରାଯାଇଥିବା ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।