Latest Odisha News

ଆହୁରି ୩ ଦିନ କଲବଲ କରିବ ଶୀତ…

ଭୁବନେଶ୍ୱର: ଶୀତ ଲହରୀ ଆହୁରି ତିନି ଦିନ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ତରଫରୁ ବୁଧବାର ଦିନ ସୂଚନା ମିଳିଛି।

ଜାନୁଆରୀ ୧୫ ଓ ୧୬ ତାରିଖରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିବା ନେଇ ସୂଚନା ମିଳିଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ସମ୍ଭାବନା ରହିଛି।

ତେବେ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନରେ -୧° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ଏହି ଶୀତ ଋତୁରେର ସର୍ବନିମ୍ନ ତାପମାତ୍ରା ଅଟେ। ପୂର୍ବରୁ ଜାନୁଆରୀ ୮ ତାରିଖରେ ପାର୍କରେ ପାରଦ ଶୂନ୍ୟ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା।

ଶୁକ୍ରବାର ସକାଳେ କନ୍ଧମାଳର ଜି ଉଦୟଗିରି ୩.୭° ସେଲସିୟସ୍, ରାଉରକେଲା ୬° ସେଲସିୟସ୍, ଝାରସୁଗୁଡ଼ା ଏବଂ ଅନୁଗୁଳ ୬.୪° ସେଲସିୟସ୍, ଫୁଲବାଣୀ ୭° ସେଲସିୟସ୍, ସୁନ୍ଦରଗଡ଼ ୮.୪° ସେଲସିୟସ୍ ଏବଂ କେନ୍ଦୁଝର ୮.୮° ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୨.୧°C ଏବଂ ୧୧.୪°C ରେକର୍ଡ କରାଯାଇଥିଲା ଯାହାକି ସ୍ୱାଭାବିକ ଠାରୁ ପ୍ରାୟ ୩°C କମ୍ ଥିଲା। ଆଗାମୀ ୩ ଦିନ ମଧ୍ୟରେ ଏହି ସହରଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦°Cକୁ ହ୍ରାସ ପାଇବାର ସମ୍ଭାବନା ରହିଥିବା ନେଇ ବିଭାଗ ତରଫରୁ କୁହା ଯାଇଛି। ଏହାପରେ ଆଗାମୀ ୩-୪ ଦିନ ପରେ ରାତିର ତାପମାତ୍ରା ୨-୪°C ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି।

Comments are closed.