ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମହିଳାଙ୍କ କଲ୍ୟାଣ ପାଇଁ ଓଡିଶାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ଯୋଜନାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ । ୨ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ଏନେଇ ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସୁଭଦ୍ରା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ନଡ୍ଡା।
ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଚର୍ଚ୍ଚିତ ପ୍ରତିଶ୍ରୁତି ରହିଥିଲା। ସରକାର ଗଠନ ହେବାର କିଛି ଘଣ୍ଟା ପରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଗାମୀ ୧୦୦ ଦିନ ଭିତରେ ରାଜ୍ୟରେ ସୁଭଦ୍ର ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଯୋଜନାର ରୂପରେଖ କଣ ହେବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନି।
Comments are closed.