Latest Odisha News

BREAKING NEWS

ବାତ୍ୟା ମୋନ୍ଥା; ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା 

୧୦୬୧ ଜଣ ମହିଳାଙ୍କ ନିରାପଦ ମାତୃତ୍ଵ ଲାଭ 

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଏବଂ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଆଜି ପୂର୍ବାହ୍ନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ଦିଆଯିବା ସହ ପରୀକ୍ଷା କରାଯାଉଛି। ସେମାନଙ୍କ ମଧ୍ୟରେ ୧୦୬୧ ଜଣ ମହିଳା ନିରାପଦ ମାତୃତ୍ଵ ଲାଭ କରିଛନ୍ତି। ଏଥିରେ ବାଲେଶ୍ଵର, ଗଜପତି, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲାର ମହିଳା ଅଛନ୍ତି।

ସେହିପରି କ୍ଷେତ୍ରସ୍ତରୀୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଆବଶ୍ୟକୀୟ ବଟିକା, ଓ.ଆର.ଏସ ଦ୍ରବଣ, ସାପକାମୁଡ଼ା ଇଞ୍ଜେକସନ, ବ୍ଳିଚିଂ ପାଉଡର ପ୍ୟାକେଟ ମହଜୁଦ ରଖାଯାଇଛି । ଏହା ସହ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଓ ଜରୁରୀକାଳୀନ ଔଷଧ, ଅକ୍ସିଜେନ ସିଲିଣ୍ଡର, ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହା ସହ ଏସବୁ ସମ୍ବନ୍ଧରେ ତୁରନ୍ତ ତଥ୍ୟ ସଚେତନତା ପ୍ରସାରଣ ବ୍ୟବସ୍ଥା କରାଯାଇଛି।

Comments are closed.