ଭୁବନେଶ୍ୱର: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆଭିଏସନ୍ ସିକ୍ୟୁରିଟି ବା ବିମାନ ଚଳାଚଳ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଏଏସଟିଆଇ) ମିଳିବ। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ବିମାନ ଚଳାଚଳ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଢେଙ୍କାନାଳର ବିରାଶାଳ ଏୟାରଷ୍ଟ୍ରିପ ସ୍ଥିତ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏହି ଏଏସଟିଆଇ ପ୍ରତିଷ୍ଠା କରାଯିବ। ଯାହାର ନାମ ବିଜୁ ପଟ୍ଟନାୟକ ଏୟାରସ୍ପେସ୍ ଏକାଡେମି ରଖାଯାଇଛି।
ଏହି ଶିକ୍ଷାନୁଷ୍ଠାନରେ ଏକକାଳୀନ ୪୦ ଜଣଙ୍କୁ ତାଲିମ ଦିଆଯିବା ସହ ଦୁଇ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।
ବିମାନ ଚଳାଚଳ କ୍ଷେତ୍ରରେ କୁଶଳୀ ଓ ଦକ୍ଷ ମାନବ ସମ୍ବଳର ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଏହି ଏଏସଟିଆଇ ପ୍ରତିଷ୍ଠା କରାଯାଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ବିପିଆଇଏ) ବ୍ୟତୀତ ୩ଟି ନୂଆ ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ କରିବା ସହିତ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଓଡ଼ିଶାର ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିଛି।
ଏଏସଟିଆଇ ବିମାନ ସୁରକ୍ଷା, ଯାତ୍ରୀଙ୍କ ସ୍କ୍ରିନିଂ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଆଦି ବିଭିନ୍ନ ବିଷୟରେ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବ। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ବିଶେଷଜ୍ଞମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ।
ଏଏସଟିଆଇ ଦ୍ୱାରା ଓଡ଼ିଶାର ପୁଲିସ ବାହିନୀ ମଧ୍ୟ ଉପକୃତ ହେବ ବୋଲି ଆଶା କରାଯାଉଛି। ଏଏସଟିଆଇରେ ଯେଉଁ ପ୍ରଶିକ୍ଷଣ ପ୍ରଦାନ କରାଯିବ ତାହା ପୁଲିସକୁ ବିମାନ ବନ୍ଦର ଏବଂ ବିମାନ ଚଳାଚଳ ସମ୍ବନ୍ଧୀୟ ଅନ୍ୟାନ୍ୟ ସୁବିଧାକୁ ଅଧିକ ସୁରକ୍ଷିତ କରିବାରେ ସହାୟକ ହେବ। ଏଏସଟିଆଇ ପ୍ରତିଷ୍ଠା ଓଡ଼ିଶାର ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ।
Comments are closed.