Latest Odisha News

ଏସସି/ଏସଟି ବିଭାଗ ଅଧୀନରେ ଥିବା ୧୪ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବେ ସରକାର

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ୧୪ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ବିଭାଗୀୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଡ୍ରପ୍ ଅପ୍ ହାର ହ୍ରାସ କରିବା ପାଇଁ ଅଧିକ ହାଇସ୍କୁଲର ଉନ୍ନତିକରଣର ଆବଶ୍ୟକତା ରହିଛି।

ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲର ଅବସ୍ଥାରେ ଉନ୍ନତି ଆଣିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏଭଳି ୩୦୧ଟି ହଷ୍ଟେଲର ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ସ୍ଥଳେ ଏହି ହଷ୍ଟେଲଗୁଡ଼ିକର କ୍ଷମତା ୧୦୦କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ପିଲାଙ୍କ ଖାଦ୍ୟର ଗୁଣବତ୍ତା ରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ, ନିରାପତ୍ତା ଓ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନିୟମିତ ଭାବେ ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ଏହି ଅନୁଷ୍ଠାନଗୁଡ଼ିକର ପରିଚାଳନା ଯାଞ୍ଚ କରିବାକୁ ମନ୍ତ୍ରୀ ଓ ସଚିବମାନଙ୍କୁ ମୋହନ ମାଝୀ ପରାମର୍ଶ ଦେଇଛନ୍ତି।

ବୈଠକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶା ପାଇଁ ଏଭଳି ୧୧୪ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଏବେ ରାଜ୍ୟରେ ୩୨ଟି କାର୍ଯ୍ୟକ୍ଷମ ଥିବା ବେଳେ ଚଳିତ ବର୍ଷ ନାମଲେଖା ପାଇଁ ଆଉ ୧୫ଟି ସ୍କୁଲ ଖୋଲିବ ବୋଲି ବୈଠକରେ ଅଧିକାରୀମାନେ ସୂଚନା ଦେଇଛନ୍ତି।

ପ୍ରାଥମିକତା ଭିତ୍ତିରେ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ଆବଶ୍ୟକ ଅନୁମୋଦନ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହାରକୁ ରୋକିବା ପାଇଁ ‘ମାଧୋ ସିଂହ ହାଟଖର୍ଚା ଯୋଜନା’, ଜଙ୍ଗଲ ଜମି ଅଧିକାର, ଅନ୍ୱେଷା, ପିଏମ୍ ଜନମନ ଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜାତି/ଜନଜାତି ବିଭାଗ ସଚିବ ରୂପା ରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ମାଧ୍ୟମିକ ସ୍ତରରେ ଓଡ଼ିଶାରେ ସର୍ବାଧିକ ୨୭.୩% ଡ୍ରପ୍ ଆଉଟ୍ ହୋଇଛି।

Comments are closed.