Latest Odisha News

BREAKING NEWS

୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ୫-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ। ଯେଉଁଥିପାଇଁ ୭୫୦ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

ସ୍ୱାସ୍ଥ୍ୟସେବା ଅଧିବେଶନରେ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା – ‘ଆମ ହସ୍ପିଟାଲ ଏବଂ ବିଏସକେଓ୍ୱାଇ’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ। ଏହି ସମୟରେ ରାଜ୍ୟରେ ସାତୋଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି, ଆଉ ୪ଟି କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଥିବା ଶାଳିନୀ ପଣ୍ଡିତ କହିଛନ୍ତି। କଳାହାଣ୍ଡି, ତାଳଚେର, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଥିବା କୁହାଯାଉଛି।

ଅନ୍ୟପଟେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡ଼ା ଓ ଭଦ୍ରକରେ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ସ୍ପେଶାଲିଟି ହସ୍ପିଟାଲ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ଚଳିତ ବର୍ଷ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସମ୍ପ୍ରସାରଣର ଅଂଶବିଶେଷ ସ୍ୱରୂପ ଓଡ଼ିଶା ବାହାରେ ଆହୁରି ୫୦୦ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ସେହିପରି ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ ଛାତ୍ର ପରିଣତ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ତେବେ ହଠାତ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଭିତ୍ତିଭୂମୀ ସଜାଡିବାକୁ ଗୁରୁତ୍ୱ ଦେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁଳି ମାଡ଼ର ଶିକାର ହେବା ପରେ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି। ଜଣେ ପଶ୍ଚିମ ଓଡ଼ିଶାରେ ଗୁରୁତର ହେଲେ ଯଦି ଭୁବନେଶ୍ୱର ଆସିବାକୁ ପଡ଼ୁଛି ତାହାଲେ ଏହା କି ପ୍ରକାର ସ୍ବାସ୍ଥ୍ୟସେବା ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସରକାର ହଠାତ ୧୪୭ଟି ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

 

 

Comments are closed.