Latest Odisha News

ଅଭୟ ପାଠକ ଓ ପୁଅ ଆକାଶ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ବଢ଼ିଲା ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଅଡୁଆ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଖାସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ବିଭାଗ। ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ବି ଚାର୍ଜସିଟ ଦାଖଲ ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଅଭୟକାନ୍ତଙ୍କ ବିରୋଧରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ।

ସରକାରୀ ଅଧିକାରୀ ଭାବେ କାର୍ୟ୍ୟରତ ଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଅଭୟକାନ୍ତଙ୍କ ବିରୋଧରେ ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ତଦନ୍ତ ସମୟରେ ଅଭୟକାନ୍ତଙ୍କ ୧୬ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଓଡ଼ିଶାରେ ୭, ବିହାରରେ ୨, ମୁମ୍ବାଇ ଓ ପୁନେରେ ୬ ଓ ରାଜସ୍ଥାନର ଗୋଟିଏ ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ। ୧୪ କୋଟି ୨୫ ଲକ୍ଷ ୪୬ ହଜାର ୯୦୧ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା।

ଅଭୟକାନ୍ତ ଓ ଆକାଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜମା ଥିବା ବେଳେ ପ୍ରାୟ ୫ କୋଟି ଟଙ୍କାର ଆକାଉଣ୍ଟ ଟ୍ରାନ୍ସଫର ହୋଇଥିବା ଜାଣି ପାରିଥିଲା ଭିଜିଲାନ୍ସ। ଏ ବାବଦରେ ଉଭୟ ବାପା-ପୁଅ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତଦନୁସାରେ, ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ବିଭାଗ।

୨୦୨୦ ମସିହା ନଭେମ୍ବରରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହୋଇଥିଲା। ଟାଟା ମଟର୍ସ ଚାକିରି କରେଇ ଦେବା ନାଁରେ ଅନେକ ବେକାର ଯୁବକ ଓ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଟାଟା ମୋଟର୍ସ ଲୋଗୋ ବ୍ୟବହାର କରି ଏହି ଠକେଇ ଆରମ୍ଭ କରିଥିଲେ ଆକାଶ। ଏନେଇ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ ହେବା ପରେ ପ୍ରଥମେ କ୍ରାଇମ ବ୍ରାଞ୍ଚ ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ରେଡ୍ ସମୟରେ ଟଙ୍କା, ସୁନା ଗହଣା ଜବତ କରିବା ସହ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

Comments are closed.