ଭୁବନେଶ୍ଵର: ଶୀତର ପହିଲି ସ୍ପର୍ଶ । ଘନ କୁହୁଡିର ଚାଦର ତଳେ ଢାଙ୍କି ହୋଇରହିଛି ରାଜ୍ୟର କିଛି ଅଂଶ । ଶୀତର ଆଗମନରେ ପାହାଡ ଜଙ୍ଗଲ ଘେରା ପରିବେଶ ଆହୁରି ମନୋରମ ହୋଇପଡିଛି । ଶୀତୁଆ ସକାଳରେ ଘାସ ଗାଲିଚା ଉପରେ ପଡିଥିବା କାକର ବୁନ୍ଦା ସବୁ ପହିଲି ସୂର୍ଯ୍ୟ କିରଣରେ ମୁକ୍ତାସମ ଝଲସି ଉଠୁଛି । ସକାଳୁ ସକାଳୁ କାକର ବୁନ୍ଦା ସବୁ ଗଛପତ୍ରରୁ ନେଇ ସବୁଠି ଏକ ରୂପେଲି ଆସ୍ତରଣ ତିଆରି କରିଛି । ପ୍ରାକୃତିକ ମନୋରମ ପରିବେଶ ଭିତରେ ସକାଳୁ ସକାଳୁ ଚା’ଖଟିରେ ଜମୁଛି ଭିଡ । ଶୀତରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ପୋଇଁ ହେବାର ଦେଖିବାକୁ ମିଳିଛି ।
ତେବେ କନ୍ଧମାଳର ପାଦଦେଶରେ ମନୋରମ ପରିବଶ ଭିତରେ ପହିଲି ଶୀତକୁ ସମସ୍ତେ ସ୍ୱାଗତ କରିଛନ୍ତି । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଦାର୍ଜିଲିଂ ର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନରେ ନଭେମ୍ବରରୁ ଲାଗିଯାଏ ପର୍ଯ୍ୟଟକଙ୍କ ଭିଡ଼ । ଜଳପ୍ରପାତରୁ ନେଇ ପ୍ରାକୃତିକ ମନୋରମ ପରିବେଶର ବେଶ୍ ମଜା ଉଠାଉଛନ୍ତି ବୁଲି ଆସୁଥିବା ଲୋକେ ।
ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ରେ ଦେଖା ଦେଇଛି ଘନ କୁହୁଡି । ଏପରି କୁହୁଡି ହେଉଛି ଯେ, ରାସ୍ତାର ୫ମିଟର ପର୍ଯ୍ୟନ୍ତ ଦେଖା ଯାଉନି । ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରଥମ ଲହରୀ ଖେଳାଇଛି ଶୀତ । ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ ସହ ବାରିପଦା, ଯଶିପୁର, କରଞ୍ଜିଆ, ବିଶୋଇ, ଶୁକୃଳି, ଠାକୁରମୁଣ୍ଡା, ତିରିଂ, ବହଳଦା ଆଦି ବ୍ଲକ୍ରେ ଶୀତର ପହିଲି ଛୁଆଁ ଦେଖିବାକୁ ମିଳିଛି । ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ ।
Comments are closed.