ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବତୀ ଶ୍ରୁଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁର ଅଞ୍ଚଳରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ।ତେବେ ସେଠାରେ ତାଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଶ୍ରୁଷ୍ଟି ଗତ ଛଅ ମାସ ଧରି ଭାରତୀୟ ସ୍କୁଲ ନିକଟରେ ଥିବା କାମେଶ୍ୱର ସିଂହଙ୍କ ଘରେ ଭଡ଼ାରେ ରହୁଥିଲେ। ଇଣ୍ଟର୍ନସିପ୍ ସାରି ସେ ମଙ୍ଗଳବାର ଅପରାହ୍ନରେ ତାଙ୍କ ରୁମକୁ ଫେରିଥିଲେ। ଗତ ବୁଧବାର ଦିନ ସେ ଦିଲ୍ଲୀରୁ ଇନ୍ଦୋର ଯିବାର ଯୋଜନା ରଖିଥିଲେ। କିନ୍ତୁ ତାଙ୍କ ଘର ଲୋକେ ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଯାହାଫଳରେ ସେମାନେ ଚିନ୍ତିତ ହୋଇଯାଇଥିଲେ। ପରେ ଶ୍ରୁଷ୍ଟିଙ୍କ ଜଣେ ସମ୍ପର୍କୀୟ ଭାଇ ଅମୃତ ଶର୍ମା ବୁଧବାର ସନ୍ଧ୍ୟାରେ ଲାଲପୁର ଯାଇଥିଲେ। କିନ୍ତୁ ସେଠାରୁ ଶ୍ରୁଷ୍ଟିଙ୍କ କୌଣସି ଖୋଜଖବର ମିଳିନଥିଲା। ଏ ବିଷୟରେ ଘର ମାଲିକଙ୍କୁ ପଚରା ଯିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ରୁଦ୍ରପୁର ଯାଇଥିବା ନେଇ କହିଥିଲେ।କିନ୍ତୁ ସେ ତାଙ୍କ ପୁଅ ଅମିତ ସିଂହ ଙ୍କ ବିଷୟରେ କିଛି ସ୍ପଷ୍ଟ କହିପାରିନଥିଲେ।
ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା ଏବଂ ଅମିତଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହିତ ମଙ୍ଗଳବାର ମଧ୍ୟରାତ୍ରିରେ ବେଡସିଟ୍ରେ କିଛି ଭାରି ଜିନିଷ ଗୁଡ଼ାଇ ବାଇକରେ ନେଉଥିବାର ଦେଖାଯାଇଥିଲା। ଯାହାଫଳରେ ଅମିତ ସିଂହ ଏବଂ ସୁମିତ ସିଂହଙ୍କ ବିରୁଦ୍ଧରେ ଲାଲପୁର ପୋଲିସରେ ଅଭିଯୋଗ କରାଯାଇଥିଲା।
ଶ୍ରୁଷ୍ଟିଙ୍କୁ ହତ୍ୟା କରିଥିବା ନେଇ ଅମିତ ସିଂହ ସ୍ୱୀକାର କରିଛନ୍ତି ବୋଲି ଏସପି ସିଟି ଉତ୍ତମ ସିଂହ ନେଗି କହିଛନ୍ତି। ତେବେ ସୃଷ୍ଟିଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ଓ ପରେ ପଥର ବାନ୍ଧି ମୃତଦେହକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିବା ନେଇ ପୋଲିସ ସୂଚନା ଦେଇଛି। ମୃତଦେହକୁ ବାଡୋର୍ ନଦୀରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ହତ୍ୟା ମାମଲା ରୁଜୁ କରାଯିବା ସହ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଏଥିସହିତ ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଖୋଳତାଡ ଚାଲିଥିବା କୁହାଯାଉଛି।
Comments are closed.