Latest Odisha News

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ: ୨୧ ଦିନ ଭିତରେ ବ୍ଲାଇଣ୍ଡ କେସ୍‌ର କିପରି ହେଲା ପର୍ଦ୍ଦାଫାସ?

ଭୁବନେଶ୍ୱର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ତିନିଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କବାଡି ହୋଇଥିବାବେଳେ ଜଣେ ଭିକ ମାଗନ୍ତି ଏବଂ ତୃତୀୟ ଅଭିଯୁକ୍ତ ଏକ ଅଟୋ ଚଳାନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ୨୧ ଦିନ ଭିତରେ ଏହି ମାମଲାର କେମିତି ପର୍ଦ୍ଦାଫାସ କଲା ଦିଲ୍ଲୀ ପୋଲିସ, ସେନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସେଦିନ ଥିଲା ଅକ୍ଟୋବର ୧୦। ଏକୁଟିଆ ପୀଡ଼ିତା ଓଲ୍ଡ ଦିଲ୍ଲୀ ରେଳ ଷ୍ଟେସନରେ ବସିଥିଲେ। ତାପରେ ତାଙ୍କ ସହିତ ଘଟିଥିଲା ତାହା ଅକଥନୀୟ।

ରାତିରେ ସେ ଦିଲ୍ଲୀର ରେଳ ଷ୍ଟେସନରେ ବସଷ୍ଟାଣ୍ଡ, ଫୁଟ୍ ଓଭରବ୍ରିଜ୍ କିମ୍ବା ୱେଟିଂ ହଲ୍ ରେ ଶୋଇଥା’ନ୍ତି। ସେ କିଛି ସମୟ ଧରି ମାନସିକ ସ୍ତରରେ ଅସୁସ୍ଥ ଥିବା ପୋଲିସ କହିଛି। ଅକ୍ଟୋବର ୧୦ ତାରିଖ ଦିନ ସକାଳେ ଏହି ୩୦ ବର୍ଷିୟା ଓଡିଆ ଯୁବତୀ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ। ଗଣଦୁଷ୍କର୍ମ ପୀଡ଼ିତା ଓଡ଼ିଆ ଯୁବତୀ ଜଣକ ଅକ୍ଟୋବର ୧୧ରେ ସରାଇକେଲା ଖାନ୍ ଅଞ୍ଚଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହି ମାମଲାଟି ପୋଲିସ ପାଇଁ ସମ୍ପୂର୍ଣ୍ଣ ବ୍ଲାଇଣ୍ଡ କେସ୍ ଥିଲା। କାରଣ ବାକ୍ ଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲେ ପୀଡିତା।

ଏହି ମାମଲାର ଖିଅ ଖୋଜିବାକୁ ୭ଶହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ। ୧୫୦ରୁ ଅଧିକ ସନ୍ଦିଗ୍ଧ ଅଟୋ ରିକ୍ସାକୁ ହୋଇଥିଲା ଛାନଭିନ୍। ଅତି ସଂଗୀନ ଅବସ୍ଥାରେ ଉଦ୍ଧାର ହୋଇଥିବା ପୀଡ଼ିତା ପୋଲିସକୁ କିଛି କହୁନଥିବାରୁ, ଛଦ୍ମବେଶରେ ତାଙ୍କଠୁ ତଥ୍ୟ ଆଦାୟ କରିଥିଲେ ଅଣ୍ଡରକଭର ପୋଲିସ ଏବଂ ଓଡ଼ିଆ ଟ୍ରାନ୍ସଲେଟର। ଦିଲ୍ଲୀ ଏମ୍‌ସ ଟ୍ରମା ସେଣ୍ଟରରେ ପୀଡିତାଙ୍କୁ ନେଇ ଭର୍ତ୍ତି କରାଇଥିଲା ପୋଲିସ। ସେଠାରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ପୋଲିସକୁ ଦେଖିଲେ ବିଚଳିତ ହୋଇଉଠୁଥିଲେ। ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।

ପୀଡିତାଙ୍କଠାରୁ କଥା ଆଦାୟ କରିବା ପାଇଁ ଛଦ୍ମବେଶରେ ଯାଇଥିଲେ ଅଣ୍ଡରକଭର ପୋଲିସ । ଲେଡି କନଷ୍ଟେବଲ ସଂଗୀତା ତାଙ୍କ ପାଖକୁ ଜଣେ ସମାଜସେବୀ ପରିଚୟ ନେଇ ଯାଇଥିଲେ ଏବଂ ତାଙ୍କ ସହିତ ଜଣେ ଓଡ଼ିଆ ଟ୍ରାନ୍ସଲେଟର ନର୍ସ ବେଶରେ ଯାଇଥିଲେ । କିଛି ସମୟ ପରେ, କେତେଜଣ ଦୁଷ୍କର୍ମକାରୀ ଥିଲେ ବୋଲି ପଚାରିବାରୁ ପୀଡ଼ିତା ଜଣକ ଅତି କଷ୍ଟରେ ୩ଟି ଅଙ୍ଗୁଳି ଦେଖାଇଥିଲେ । ଏଥିସହ କ୍ଷୀଣ ସ୍ୱରରେ ‘ଷ୍ଟେସନ’ ବୋଲି କହିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ଥିଲା ଏବଂ ସେମାନଙ୍କର ଅଟୋ ଥିଲା ବୋଲି କହିଥିଲେ ପୀଡିତା। ଏହି ସାମାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଗଠନ କରିଥିଲା ୧୦ ଜଣିଆ ସ୍ପେସିଆଲ ଟିମ ଏବଂ ଆରମ୍ଭ କରିଦେଇଥିଲା ତଦନ୍ତ।

ସରାଇକେଲା ଖାନ୍ ଅଞ୍ଚଳରେ ପୀଡ଼ିତାଙ୍କ ଉଦ୍ଧାରସ୍ଥଳକୁ ଯାଇଥିବା ସମସ୍ତ ଛୋଟବଡ଼ ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଏହି ତଦନ୍ତରେ ସବୁଠୁ ବଡ଼ ସୁରାକ୍ ମିଳିଥିଲା ଅକ୍ଟୋବର ୧୦ର ଏକ ସିସିଟିଭି ଫୁଟେଜରୁ। ସେଥିରେ ପୀଡ଼ିତା ଓଲ୍ଡ ଦିଲ୍ଲୀ ରେଳ ଷ୍ଟେସନରେ ବସିଥିବା ଦେଖିବାକୁ ମିଳିଥିଲା। ପୀଡିତା କେଉଁ କେଉଁ ବାଟ ଦେଇ ଯାଇଥାଇପାନ୍ତି, ଏହାର ଏକ ସମ୍ଭାବ୍ୟ ଇଲେକ୍ଟ୍ରୋନିକ୍ ମ୍ୟାପ୍ ତିଆରି କରାଯାଇଥିଲା ଏବଂ ତମାମ୍ ଅଞ୍ଚଳର ପ୍ରାୟ ୭ଶହ ସିସିଟିଭି ଫୁଟେଜ୍ ଯାଞ୍ଚ ହୋଇଥିଲା। ସେଥିରୁ ଠାବ ୧୫୦ରୁ ଅଧିକ ଅଟୋ ଯାଞ୍ଚ ବେଳେ ଗୋଟିଏ ଅଟୋ ରିକ୍ସା କ୍ରାଇମ ସିନ୍ ନିକଟରେ ଛିଡ଼ା ହୋଇଥିବା ଏବଂ ସେଠାରୁ ଯାଇ ଆଉ ଗୋଟିଏ ସ୍ଥାନରେ ଅଟକୁ ଥିବା ଦେଖିବାକୁ ମିଳିଲା। ଅଟୋ ନମ୍ବର ଥିଲା DL-1-RAA-9327। ଏହି ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଅଟୋ ମାଲିକ ପ୍ରଭୁ ମାହତୋ ଜାଣି, ତାର ମୋବାଇଲ୍ ଲୋକେସନ ଟ୍ରାକ୍ କରାଯାଇଥିଲା ।

ଅକ୍ଟୋବର ୩୦ରେ ଗିରଫ ହୋଇଥିଲା ପ୍ରଭୁ ମାହତୋ । ତାକୁ ଜୋରଦାର ଜେରା ପରେ ନଭେମ୍ବର ୨ରେ ଦ୍ୱିତୀୟ ଅଭିଯୁକ୍ତ ପ୍ରମୋଦ ଓରଫ୍ ବାବୁ ଏବଂ ୪ ତାରିଖରେ ତୃତୀୟ ଅଭିଯୁକ୍ତ ମହମ୍ମଦ ଶମଶୁଲ ଧରାପଡ଼ିଥିଲା। ସୂଚନା ଥାଉକି ପୀଡିତା ଓଡିଶାର ବାସିନ୍ଦା, ଯିଏ ୮ ବର୍ଷ ଧରି ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ନିଜ ପରିବାରକୁ ନ ଜଣାଇ ଚଳିତ ବର୍ଷ ମେ ମାସରେ ଦିଲ୍ଲୀ ଆସିଥିଲେ। ତାଙ୍କ ପରିବାର ମଧ୍ୟ ଜୁନ୍ ୯ ରେ ଓଡିଶାରେ ଏକ ନିଖୋଜ ମାମଲା ଦାୟର କରିଥିଲେ।

Comments are closed.