ଭୁବନେଶ୍ୱର: ଅଲୂରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡିଶା ୬ ୱିକେଟରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୪୯.୨ ଓଭରରେ ୨୨୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଏସଡିଏନଭି ପ୍ରସାଦ ଦଳ ପକ୍ଷରୁ ସର୍ବାଧିକ ୬୬ ରନ କରିଥିଲେ । ଓଡିଶା ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଓଡିଶା ୨୨୨ ରନର ବିଜୟ ଲକ୍ଷ୍ୟକୁ ୪୩.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଓମ ଟି ମୁଣ୍ଡେ ୯୧ ଓ ଗୋବିନ୍ଦ ୮୯ ରନର ଇନିଂସ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସତ୍ୟନାରାୟଣ ରାଜୁ ୨ଟି ୱିକେଟ ନେଇଥିବା ବେଳେ ନୀତିଶ କୁମାର ରେଡ୍ଡୀ ଓ ହେମନ୍ତ କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବର ଗୋବିନ୍ଦଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଓଡିଶା ୩ଟି ମ୍ୟାଚରେ ୮ ପଂଏଟ ହାସଲ କରି ଗ୍ରୁପ ଡି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।