ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ ଆରମ୍ଭ ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି। ଏହି ସରକାରୀ କ୍ୟାବ୍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି।
ଇତି ମଧ୍ୟରେ ଏହା ୨ ଲକ୍ଷ ଟ୍ରିପ୍ ମାର୍କ ଅତିକ୍ରମ କରିଛି। ଓଡ଼ିଶାର ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମିତ ଏକ ମୋବିଲିଟି ସମାଧାନ ଉପରେ ରଖିଥିବା ବିଶ୍ୱାସର ପ୍ରମାଣ। ଓଡ଼ିଶା ଯାତ୍ରୀ ନିରପେକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ବାଣିଜ୍ୟ ଏବଂ ପରିବହନ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି।
ଚଳିତବର୍ଷ ଜାନୁୟାରୀ ମାସରେ ପରିବହନ ବିଭାଗ ପକ୍ଷରୁ ଓଡିଶା ଯାତ୍ରୀ ଆପ୍ ଆରମ୍ଭ ହୋଇଥିଲା। ସରକାରୀ ଆପ୍ ସହିତ ଏଥିପାଇଁ କମିଶନ ଦେବାକୁ ପଡୁନଥିବାରୁ ଗାଡିଚାଳକମାନେ ନିଜକୁ ଏଥିରେ ପଞ୍ଜିକୃତ କରାଇଥିଲେ । ବର୍ତ୍ତମାନ ସୁଦ୍ଧା ୧୦ହଜାର ଚାଳକ ଏଥିରେ ନିଜକୁ ପଞ୍ଜିକୃତ କରିସାରିଲେଣି ।
ସରକାରୀ କ୍ୟାବ୍ ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ ଲୋକେ ବି ଏଥିପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ କଟକରେ ଏକ ଲକ୍ଷ ୬୧ହଜାର ଲୋକ ଭଡା ସମ୍ପୂର୍ଣ୍ଣ ହୋଇ ସାରିଲାଣି । ଏଥିରେ ସର୍ବାଧିକ ଟ୍ରିପ୍ ରହିଛି ରାଜଧାନୀରେ । ସାଢେ ୧୦ଲକ୍ଷରୁ ଅଧିକ ଲୋକେ ଏହି ଆପ୍ରେ ସର୍ଚ୍ଚ କରିଥିବା ଜଣାଯାଇଛି ।
ରାଜଧାନୀରେ ଗାଡି ଚାଳକମାନେ ଏହି କ୍ୟାବ୍ ବ୍ୟବସ୍ଥାରେ ୨କୋଟି ୫ଲକ୍ଷ ଟଙ୍କା ଆୟ କରିଥିବାବେଳେ କଟକରେ ୫ଲକ୍ଷ ୯୦ହଜାର ଟଙ୍କା ଆୟ କରିଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରଚଳନ ଥିବା ଅନ୍ୟ କ୍ୟାବ୍ ବ୍ୟବସ୍ଥାରେ ପଞ୍ଜିକୃତ ହେଉଥିବା ଚାଳକମାନେ ଯେତିକି ରୋଜଗାର କରିଥାନ୍ତି ତାହାର ଗୋଟିଏ ବଡ ଅଂଶ କମିଶନ ଆକାରରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଓଡିଶା ଯାତ୍ରୀ ପାଇଁ କୌଣସି କମିଶନ ଦେବାକୁ ପଡୁନଥିବାରୁ ଚାଳକମାନେ ଏବେ ଅନ୍ୟ କ୍ୟାବ୍ ବ୍ୟବସ୍ଥାରୁ ମୁହଁ ଫେରାଇବାରେ ଲାଗିଛନ୍ତି ।
ଓଡିଶା ଯାତ୍ରୀ ଉପରେ ପୁଲିସ୍ ନଜର ରଖିଥିବାରୁ ଏହା ଅତ୍ୟନ୍ତ ସୁରକ୍ଷିତ ବୋଲି କୁହାଯାଉଛି । ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ତେବେ ତୁରନ୍ତ ପୁଲିସ୍କୁ ଜଣାଇଲେ ଉଭୟ ପୁଲିସ୍ ଓ ପରିବହନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିଯୋଗୁଁ ଅନ୍ୟ କ୍ୟାବ୍ ଚାଳକମାନେ ଯେଭଳି ଯାତ୍ରୀମାନଙ୍କ ବୁକିଂକୁ ବାରମ୍ବାର ବାତିଲ କରିବା ସହିତ ବିଳମ୍ବିତ ରାତିରେ ନଗଦ ଆକାରରେ ଅଧିକ ଅର୍ଥ ଦାବି କରୁଛନ୍ତି ତାହା ଓଡିଶା ଯାତ୍ରୀରେ ପରିଲକ୍ଷିତ ହେଉନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ରାଜଧାନୀରେ ୧ଲକ୍ଷ ୨୪ହଜାର ବ୍ୟବହାରକାରୀ ନିଜକୁ ପଞ୍ଜିକୃତ କରିଥିବାବେଳେ କଟକରେ ଏହି ସଂଖ୍ୟା ୩୭ହଜାରରୁ ଅଧିକ ରହିଛି । ତେବେ ଏହି ବ୍ୟବସ୍ଥାକୁ ଓଡିଶାର ଅନ୍ୟ ଜିଲ୍ଲାଗୁଡିକୁ ସମ୍ପ୍ରସାରିତ କରିବା ସହିତ ଜାତୀୟ ସ୍ତରରେ ପାଦ ଥାପିବାପାଇଁ ପରିବହନ ବିଭାଗ ଲକ୍ଷ୍ୟ ରଖିଛି ।
ପରିବହନ ବିଭାଗ ଇତି ମଧ୍ୟରେ ଓଡିଶା ଯାତ୍ରୀ ସହିତ ଘରୋଇ ଆମ୍ବୁଲାନ୍ସକୁ ଯୋଡିବାପାଇଁ ଯାଉଛନ୍ତି । ଏହାଦ୍ୱାରା ଓଡିଶା ଯାତ୍ରୀର କଳେବର ବୃଦ୍ଧି ପାଇବା ସହିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଶୋଷଣରୁ ମୁକୁଳି ପାରିବେ।
Comments are closed.