ଭୁବନେଶ୍ୱର: କିମ୍ସରେ ପେନ୍ ମ୍ୟାନେଜମେଣ୍ଟ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି। ଇଣ୍ଡିଆନ୍ ସୋସାଇଟି ଫର୍ ଷ୍ଟଡି ଅଫ୍ ପେନ୍, ଭୁବନେଶ୍ୱର ଶାଖା ଓ କିମ୍ସର ଆନାସ୍ଥେସିଓଲୋଜି ସ୍ନାତକୋତ୍ତର ବିଭାଗ ଓ ପେନ୍ ମେଡିସିନ୍ ବିଭାଗ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ‘ସେପିଂ ଦି ଫ୍ୟୁଚର୍ ଅଫ୍ ପେନ୍ ମେଡ଼ିସିନ୍ ଇନ୍ ଓଡ଼ିଶା ଆଣ୍ଡ ବିୟଣ୍ଡ’।
ଏହି ସମ୍ମିଳନୀ ଜରିଆରେ ପେନ୍ ମ୍ୟାନେଜମେଣ୍ଟ ବିଶେଷଜ୍ଞଙ୍କ ମଧ୍ୟରେ ସର୍ଜନାତ୍ମକ ଜ୍ଞାନ ଓ ସୂଚନାର ବିନିମୟ ହେବ।
ଓଡ଼ିଶା ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସେସର କୁଳପତି ଡ. ମାନସ ରଞ୍ଜନ ସାହୁ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ ସମ୍ମିଳନୀ। ଏଭଳି ସମ୍ମିଳନୀ ଜରିଆରେ ଓଡ଼ିଶାରେ ଯନ୍ତ୍ରଣା ଚିକିତ୍ସାର ଭବିଷ୍ୟତକୁ ଆଗେଇ ନିଆଯାଇପାରିବ। ପେନ୍ ମ୍ୟାନେଜମେଣ୍ଟ ବା ଯନ୍ତ୍ରଣା ଚିକିତ୍ସା ହେଉଛି ସକାରାତ୍ମକ ଶଲ୍ୟ ଚିକିତ୍ସାର ମୂଳ ଏବଂ ଓଡ଼ିଶା ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସେସ ଖୁବ୍ ଶୀଘ୍ର ଓଡ଼ିଶାରେ ଯନ୍ତ୍ରଣା ଚିକିତ୍ସା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରିବ।
ଏଥିରେ ଅନ୍ୟତମ ଅତିଥି ଭାବେ କିମ୍ସ ଆନାସ୍ଥେସିଓଲୋଜି ବିଭାଗୀୟ ମୁଖ୍ୟ ଡା ଅମ୍ରିତା ପଣ୍ଡା କହିଛନ୍ତି, ଏହି ସମ୍ମିଳନୀରେ ଯନ୍ତ୍ରଣା ଚିକିତ୍ସାର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରାଯାଇଛି। ରୋଗୀଙ୍କ ଉତ୍ତମ ଫଳାଫଳ ପାଇଁ ସାମଗ୍ରିକ ଓ ପ୍ରମାଣ-ଆଧାରିତ ପଦ୍ଧତି ଉପରେ ଧ୍ୟାନ ଦିଆଯାଇଛି। ସେହିପରି ସମ୍ମିଳନୀର ଆୟୋଜକ କମିଟିର ସଭାପତି ତଥା କିମ୍ସ ଯନ୍ତ୍ରଣା ଚିକିତ୍ସା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ସମ୍ମିଳନୀରେ ୧୯୦ ଜଣ ପ୍ରତିନିଧି ପଞ୍ଜୀକରଣ କରିଥିବା ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ୍ ସୋସାଇଟି ଫର୍ ଷ୍ଟଡି ଅଫ୍ ପେନ୍ ଓଡ଼ିଶା ଚାପ୍ଟରର ସଭାପତି ଡା ରିତେଶ ରାୟ, ରାଷ୍ଟ୍ରୀୟ ସଭାପତି ଡା କ୍ରିଷ୍ଣା ପୋଦାର, କିମ୍ସ ମେଡିକାଲ୍ ଅଧୀକ୍ଷକ ଡା. ମାନସ ରଞ୍ଜନ ବେହେରା ଓ ପେନ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ବିଶେଷଜ୍ଞ, ଗବେଷକ ଓ ଡାକ୍ତରୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।