Latest Odisha News

BREAKING NEWS

କିଛି ଦିନର ଅସୁସ୍ଥତା ପରେ ଶେଷରେ ଆଖି ବୁଜିଲା ନନ୍ଦନକାନନର ଗେହ୍ଲା ‘ନନ୍ଦନ’

ବାରଙ୍ଗ: ଆଖି ବୁଜିଲା ବାଘ ନନ୍ଦନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଗତ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ନନ୍ଦନ । ଶେଷରେ ଆଜି ଆଖି ବୁଜିଛି ନନ୍ଦନ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିଲା ନନ୍ଦନକାନନର ଗେହ୍ଲା ‘ନନ୍ଦନ’ । ଅସୁସ୍ଥତା କାରଣରୁ ଠିକ୍ ଭାବେ ଖିଆପିଆ ନ କରିବାରୁ ଗୋଟିଏ ସ୍ଥାନରେ ପଡ଼ି ରହିବା ସହ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ପ୍ରାଣୀଉଦ୍ୟାନର ଚିକିତ୍ସକଙ୍କ ଦ୍ବାରା ଚିକିତ୍ସିତ ହେଉଥିଲା ନନ୍ଦନ ।

ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା ଏହି ଜଙ୍ଗଲୀ ବାଘଟି । ପରବର୍ତ୍ତୀ ସମୟରେ ଏହି ବାଘର ନାମ ‘ନନ୍ଦନ’ ନାମରେ ନାମିତ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖାଯାଇଥିଲା। ୨୦୧୬ ଏପ୍ରିଲ ୨୦ରେ ନନ୍ଦନକୁ ନନ୍ଦନକାନନରେ ଜନ୍ମିତ ବାଘୁଣୀ ‘ମେଘା’ ସହିତ ମିଳନ କରାଯାଇଥିଲା। ସେମାନଙ୍କ ଔରସରୁ ୨ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲେ। ୨୦୧୬ ଅକ୍ଟୋବର ୨୯ରୁ ଜଙ୍ଗଲୀ ବାଘ ନନ୍ଦନକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଉଥିଲା।

Comments are closed.