Latest Odisha News

BREAKING NEWS

ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର; ଆସନ୍ତା ୧୦ତାରିଖରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ତତ୍ପର ଶିକ୍ଷା ବିଭାଗ। ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ଯେମିତ କୌଣସି ତ୍ରୁଟି ନ ହୁଏ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗତକାଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକରେ ପ୍ରଶ୍ନପତ୍ରର ପଠାଇବା ସହ ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।

ଚଳିତବର୍ଷ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ବେଳେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ପିଲା ପରୀକ୍ଷା ଦେବେ । ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି।

ପରୀକ୍ଷା ପ୍ରସ୍ତୁତି ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ସମୀକ୍ଷା ବୈଠକରେ ତ୍ରୁଟିଶୂନ୍ୟ ମାଟ୍ରିକ ପରୀକ୍ଷା ପରିଚାଳନା କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଏସପି, ଜିଳ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମସ୍ତ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମୁତୟନ, ପରୀକ୍ଷା କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ, ପ୍ରଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ ନିରାପତ୍ତା, ପିଇବା ପାଣି ଓ ବିଦ୍ୟୁତର ବ୍ୟବସ୍ଥା ସହ ପରୀକ୍ଷାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଗତକାଲିଠାରୁ ପ୍ରଶ୍ନପତ୍ରଗୁଡ଼ିକ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ବୈଠକରେ ପରୀକ୍ଷା ପାଇଁ କେତେଟି ସେଣ୍ଟର ହୋଇଛି ସେନେଇ ମଧ୍ୟ ସୂଚନା ଦିଆଯାଇଥିଲା।

ପରୀକ୍ଷା ରାଇଁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ପୁଲିସ ଷ୍ଟେସନକୁ ମିଶାଇ ମୋଟ ୨୨ଟି ପୁଲିସ ଷ୍ଟେସନ ସମେତ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ଶେଷ ହେବା ପରେ ୫୬ଟି ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଶକ୍ଷୟିତ୍ରୀମାନେ ଖାତା ଦେଖା କାମ ଆରମ୍ଭ କରିବେ ବୋଲି କୁହାଯାଉଛି।

Comments are closed.