Latest Odisha News

BREAKING NEWS

ଓଇଆରସିର ଜନଶୁଣାଣି, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଗ୍ରୀଡକୋର ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଛି ଗ୍ରୀଡକୋ।

ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ୱ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିଜର ବିସ୍ତୃତ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲା। ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ୩୭,୪୫୭ ନିୟୁତ ମିଲିୟନ ୟୁନିଟ ବିଦ୍ୟୁତ ଆବଶ୍ୟକତା ଥିବା ବେଳେ ଗ୍ରୀଡକୋ ନିଜର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସହ ଦୀର୍ଘ ମିଆଦି ଚୁକ୍ତି ଅନୁସାରେ ୩୯୬୫୨ ମିଲିୟନ ୟୁନିଟ ବିଦ୍ୟୁତ୍ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଥିବା ଓଇଆରସିଙ୍କୁ ଅବଗତ କରାଇଥିଲା।

ଏହା ସହିତ ଜରୁରୀକାଳୀନ ଆବଶ୍ୟକତା ପାଇଁ ୨୧୯୬ ମିଲିୟନ ୟୁନିଟ ବିଦ୍ୟୁତ୍ ସଂରକ୍ଷିତ ରଖିବାର ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲା। ଯେ କୌଣସି ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ କ୍ୟାପ୍ଟିଭ ପାଓ୍ୱାର ପ୍ଲାଣ୍ଟ ସହ ସ୍ୱଳ୍ପ ମିଆଦ ଓ ମଧ୍ୟମ ମିଆଦ ଚୁକ୍ତି ନେଇ ଗ୍ରୀଡକୋ ନିଜ ଯୋଜନା ସମ୍ପର୍କରେ ମଧ୍ୟ ତଥ୍ୟ ରଖିଥିଲା। ଏହା ସହିତ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗ୍ରୀଡକୋ ଅକ୍ଷୟଶକ୍ତି ଉତ୍ପାଦନ ବିକଳ୍ପର ବ୍ୟବସ୍ଥା କରିଛି।

ଶକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ଗ୍ରୀଡକୋ ଓଇଆରସି ଓ କେନ୍ଦ୍ର ବିଦ୍ୟୁତ ପ୍ରାଧୀକରଣଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେଇଆସୁଛି।

୨୦୨୪-୨୫ ଆର୍ଥିକ ବର୍ଷରେ ଉପଭୋକ୍ତା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରି ଶକ୍ତି ବାବଦକୁ ଖର୍ଚ୍ଚ ମେଣ୍ଚାଇ ହେବ ବୋଲି ଗ୍ରୀଡକୋ ଏହି ଜନଶୁଣାଣୀରେ ମତ ଦେଇଛି।

ଜରୁରୀ ପଡ଼ିଲେ ବିତରକ କମ୍ପାନିଗୁଡ଼ିକ ପାଖରେ ଥିବା ବିଗତ ବର୍ଷର ରେଗୁଲେଟୋରୀ ସରପ୍ଲସ ଏବଂ ବର୍ଦ୍ଧିତ ବିଦ୍ୟୁ୍ତ ଚାହିଦା ଯୋଗୁ ଅତିରିକ୍ତ ରାଜସ୍ୱ ଆୟରୁ ବିଦ୍ୟୁତ୍ କ୍ରୟ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚ ତୁଲାଇ ହେବ ବୋଲି ଗ୍ରୀଡକୋ ତାର ପ୍ରସ୍ତାବରେ ଉଲ୍ଲେଖ କରିଥିଲା।

Comments are closed.