Latest Odisha News

କଫି ମେସିନ ପାଇଁ ବଢୁଛି କୋଲେଷ୍ଟ୍ରଲ୍

ନୂଆଦିଲ୍ଲୀ: ପ୍ରାୟତଃ ଅଫିସରେ କାମ ସମୟରେ ନିଜକୁ ସତେଜ ରଖିବା ପାଇଁ ଆମେ କଫିର ସେବନ କରିଥାଉ। ତେଣୁ ଆଜିକାଲି ପ୍ରାୟ ସମସ୍ତ ଅଫିସରେ କଫି ମେସିନ ଉପଲବ୍ଧ ରହୁଛି। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ ଅଫିସରେ ଥିବା କଫି ମେସିନ୍ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କାରଣ କ୍ୟାଫିନର ସେବନ ଦ୍ୱାରା କୋଲେଷ୍ଟ୍ରଲ୍ ସ୍ତର ବଢି ହୃଦଘାତର ସମ୍ଭାବନାକୁ ଏହା ବୃଦ୍ଧି କରିପାରେ।

ତେବେ କଫିର ସେବନ ଦ୍ୱାରା କିଛି ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ।ଯେପରିକି ଏହା  ଧ୍ୟାନ କେନ୍ଦ୍ରିତ କରିବାରେ  ସାହାଯ୍ୟ କରିଥାଏ ଓ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। କିନ୍ତୁ ସମସ୍ତ କଫି ସମାନ ଭାବରେ ତିଆରି ହୁଏ ନାହିଁ। ଫିଲ୍ଟର ନ ହୋଇଥିବା କଫି ପିଇଲେ ଏହା ଶିରାପ୍ରଶିରା ରେ ଖରାପ କୋଲେଷ୍ଟ୍ରଲକୁ ବଢାଇଥାଏ ଯାହାଦ୍ୱାରା ହୃଦରୋଗ ହେବାର ଆଶଙ୍କା ଥାଏ।

ସ୍ବିଡେନର ଉପ୍ସାଲା ବିଶ୍ୱବିଦ୍ୟାଳୟ ଏବଂ ଚାଲ୍ମର୍ସ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜିର ଗବେଷକମାନେ ଗବେଷଣାରେ ପାଇଛନ୍ତି ଯେ ଅଫିସ୍ ମେସିନରେ ତିଆରି ହେଉଥିବା କଫିଗୁଡିକରେ କାଗଜ ମାଧ୍ୟମରେ ଛଣାଯାଉଥିବା କଫି ତୁଳନାରେ କୋଲେଷ୍ଟ୍ରଲ୍ ବୃଦ୍ଧିକାରୀ ଉପାଦାନର ସ୍ତର ବହୁତ ଅଧିକ ଥାଏ। ସ୍ୱିଡିସ୍ ସ୍ୱାସ୍ଥ୍ୟସେବାକେନ୍ଦ୍ରରେ ହୋଇଥିବା ଗବେଷଣାରେ ୧୪ଟି ବିଭିନ୍ନ କାର୍ଯ୍ୟାଳୟରୁ କଫି ମେସିନକୁ ଅଣାଯାଇ ଏଥିରେ ଦୁଇଟି ପ୍ରାକୃତିକ ଡାଇଟରପେନ ଯଥା କାଫେଷ୍ଟୋଲ୍ ଏବଂ କାହୱେଓଲ୍  ଉପସ୍ଥିତି ମପାଯାଇଥିଲା।

ତେବେ ଏହି ସବୁ ଯୌଗିକ କଫି ତେଲରେ ମିଳିଥାଏ ଯାହା ଶରୀରରେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି କରିଥାଏ। ସାଧାରଣତଃ କାଗଜ ଫିଲ୍ଟରଗୁଡ଼ିକ ଏହି ପଦାର୍ଥଗୁଡ଼ିକୁ ଅବରୋଧ କରିଥାନ୍ତି  କିନ୍ତୁ ମେଟାଲ ଫିଲ୍ଟରଗୁଡ଼ିକ ଏସବୁକୁ ରୋକି ନଥାଏ। ସାଧାରଣତଃ ଅଫିସ କଫି ମେସିନ ଗୁଡିକରେ  ଏହି ମେଟାଲ ଫିଲ୍ଟରଗୁଡ଼ିକ ବ୍ୟବହାର ହୋଇଥାଏ।

Comments are closed.