Latest Odisha News

ଓଲ୍ଡ ଇଜ୍ ଗୋଲ୍ଡ : ପୁଣି ଫିଲ୍ମ ରି-ରିଲିଜ ଟ୍ରେଣ୍ଡ୍

ମୁମ୍ବାଇ: ଭାରତେରେ ଏବେ ହିଟ୍ ଫିଲ୍ମର ପୁନଃ ରିଲିଜ ଧାରା ଚାଲିଛି । ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗ୍ରଣୀ ସିନେଷ୍ଟାରମାନଙ୍କ ଜନ୍ମଦିନରେ ସେମାନଙ୍କ ଅଭିନୀତ ପୁରୁଣା ହିଟ୍ ଫିଲ୍ମର ପୁନଃ ରିଲିଜ କରାଯାଉଛି । ତେଲେଗୁ, ତାମିଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରମାନଙ୍କର ଚଳଚ୍ଚିତ୍ରର ପୁନଃ ସିନେମାହଲ୍ ରିଲିଜ୍ କରାଯାଉଛି । ଆଉ ସବୁଠୁ ବଡ କଥା ହେଲା ପୁନଃ ରିଲିଜ ହୋଇଥିବା ଫିଲ୍ମ  କିଛି ନୂଆ ଫିଲ୍ମଠାରୁ ଭଲ ବ୍ୟବସାୟ କରିଛନ୍ତି । ଏହା ସତ ଯେ, ପୁନଃ ରିଲିଜ ଫିଲ୍ମଗୁଡିକ ବିଭିନ୍ନ ଘରୋଇ ମନୋରଂଜନ ଚ୍ୟାନେଲରେ ଅନେକ ଥର ପ୍ରସାରିତ ହେଉଛି । ତେବେ ନୂଆ ହିଟ୍ ଫିଲ୍ମର ଅନୁପସ୍ଥିତିରେ ସିନେମାହଲକୁ ଲୋକପ୍ରିୟ ଷ୍ଟାରଙ୍କ ଅନୁଗତ ପ୍ରଶଂସକମାନଙ୍କୁ ଟାଣିବା ସହ ସେମାନଙ୍କ ଅଭିନୀତ ପୁରୁଣା ଫିଲ୍ମ ପୁନଃ ରିଲିଜ କରାଯାଉଛି । ଆଉ ଗୋଟିଏ ନୂଆ ଫ୍ଲପ୍ ଫିଲ୍ମଠାରୁ ବି ଅଧିକ ଆୟ କରୁଛି ରି-ରିଲିଜ୍ ହୋଇଥିବା ଫିଲ୍ମ । ମାନେ ରି-ରିଲିଜରେ ବି ବ୍ୟବସାୟିକ ସଫଳତା । ସିନେମାହଲରେ ବଡ ପରଦାରେ ଫିଲ୍ମ ଦେଖିବାର ଯେ, ଆକର୍ଷଣ ଅଲଗା, ତାହା ରି-ରିଲିଜ ଫିଲ୍ମର ସଫଳତାରୁ ପ୍ରମାଣିତ ହେଉଛି । କୌଣସି ନୂଆ ଫିଲ୍ମ ରିଲିଜ ହେଉନଥିବା ବେଳେ ମଧ୍ୟ ପୁରୁଣା ହିଟ୍ ଫିଲ୍ମ ରିଲିଜ୍ ହେଉଛି, ଯାହା କି ଦର୍ଶକଙ୍କୁ ସିନେମାହଲକୁ ଟାଣି ନେଉଛି । ଟିକେଟ ଦର ମଧ୍ୟ କମ୍ ରହୁଥିବାରୁ ଦର୍ଶକମାନେ ପୁଣି ହଲକୁ ଯାଇ ପୁରୁଣା ପିଲ୍ମର ମଜା ନିଅନ୍ତି । ଆଉ ଟିକେ ପୁରୁଣା କଥା ବି ମନେପକାନ୍ତି ।

ନିକଟ ଅତୀତରେ ଦକ୍ଷିଣ ଭାରତରେ ବକ୍ସ ଅଫିସରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଲୋକପ୍ରିୟ ତାରକାଙ୍କ ପିଲ୍ମ ପୁନଃ ରିଲିଜ୍ ହୋଇଛି । ତେଲେଗୁ ହାର୍ଟଥ୍ରୋବ୍  ମହେଶବାବୁଙ୍କ ପୋକିରୀ, ରାମଚରଣ ଓ କାଜଲ ଅଗ୍ରୱାଲଙ୍କ ମଗଧୀରା, ମାତ୍ର ଦୁଇ ବର୍ଷ ତଳର ଆରଆରଆର୍‌, ତାମିଲ ଅଭିନେତା ବିଜୟଙ୍କ ଗିଲି, ଧନୁଷଙ୍କ ଥ୍ରୀ ସମେତ ରଜନୀକାନ୍ତ ଓ କମଲ ହାସନଙ୍କ ଭଲି କିମ୍ବଦନ୍ତୀ ତାରକାଙ୍କ ବହୁ ପୁରୁଣା ଫିଲ୍ମ ମଧ୍ୟ ରି-ରିଲିଜ ହୋଇ ଭଲ ବିଜିନ୍ସ କରିଛି । ନାମୀଦାମୀ ଅଭିନେତାଙ୍କ କିଛି ହିଟ୍ ଫିଲ୍ମର ବାର୍ଷକୀ ପାଳନ ପାଇଁ ମଧ୍ୟ ସେଗୁଡିକ ରି-ରିଲିଜ କରାଯାଉଛି । ଯେମିତିକି ରଜନୀକାନ୍ତଙ୍କ ସୁପରହିଟ୍ ତାମିଲ ଫିଲ୍ମ ବାଶା ରିଲିଜର ୨୦ ବର୍ଷ ପୂର୍ତ୍ତି  ଅବସରରେ ସେହି ଫିଲ୍ମ ରଜନୀ ଫ୍ୟାନମାନଙ୍କ ପାଇଁ ପୁଣି ରିଲିଜ୍ କରାଯାଇଥିଲା ।

କୌଣସି ଭଲ ଫିଲ୍ମ ରିଲିଜ ହେବାକୁ ନଥିଲେ ମଧ୍ୟ ବକ୍ସ ଅଫିସର ମାନ୍ଦା ଅବସ୍ଥା କିଛି ମାତ୍ରାରେ ଦୂର କରିବାକୁ ପୁରୁଣା ଫିଲ୍ମର ରି-ରିଲିଜ କରାଯାଉଛି ।ଏଥିରେ ଆଖିଦୃଶିଆ ଲାଭ ବି ହେଉଛି । ତେଣୁ ପୂର୍ବାପେକ୍ଷା ଅଧିକ ହେଉଛି ଫିଲ୍ମର ରି-ରିଲିଜ୍ ।

କିଛି ହିନ୍ଦି ଫିଲ୍ମର ମଧ୍ୟ ରି-ରିଲିଜ କରାଯାଇ ନୂଆ ଓ ପୁରୁଣା ଦର୍ଶକଙ୍କ ଆଗରେ ଉପସ୍ଥାପନ କରାଯାଉଛି । ଜବ୍ ଉଇ ମେଟ୍‌, ୟେ ଜବାନୀ ହେ ଦିୱାନୀ, ତମାସା ଗୋଟିଏ ଗୋଟିଏ ରି-ରିଲିଜର ଉଦାହରଣ । ନିକଟରେ ଆରଆରଆର୍‌ର ହିନ୍ଦି ଡବିଂ ଓ ରକଷ୍ଟାର ରି-ରିଲିଜ ହୋଇଛି । ହିନ୍ଦି ବକ୍ସ ଅଫିସରେ କିଛି ବ୍ୟୟବହୁଳ ଫିଲ୍ମର ବ୍ୟବସାୟ ଭଲ ନହେବାରୁ ଏସବୁ ଫିଲ୍ମ ରି-ରିଲିଜ୍ କରାଯାଇଛି ।

ଫିଲ୍ମ ରି-ରିଲିଜର ଟ୍ରେଣ୍ଡ୍ ନୂଆ ନୁହେଁ । ଅଶୀ ଓ ନବେ ଦଶକରେ ବି ଏହି ଚାଲିଥିଲା ଏହି ଧାରା । ସେତେବେଳେ ବି ଦର୍ଶକ ରି-ରିଲିଜ ପାଇଁ ସିନେମାହଲରେ ଭିଡ ଜମାଉଥିଲେ । ଅଶୀ ଦଶକରେ ଅନେକ ଓଡିଆ ଫିଲ୍ମ ବି ରାଜ୍ୟର କେତେକ ହଲରେ ରି-ରିଲିଜ ହୋଇଥିଲା । ତେବେ ଭାରତରେ ପୁଣି ପୁଣି ରି-ରିଲିଜ ଧାରା ଚାଲିଥିବା ବେଳେ ଓଡିଆ ଫିଲ୍ମ ଏ କ୍ଷେତ୍ରରେ ପଛେଇ ଯାଇଥିବା ମନେ ହୁଏ ।

Leave A Reply

Your email address will not be published.