Latest Odisha News

BREAKING NEWS

କେଉଁ ଦୋଷ ପାଇଁ ଉପେକ୍ଷିତ ସବିତା ରାୟ ?

ମାଲକାନଗିରି: ଅତ୍ୟାଧୁନିକ ଯୁଗରେ ବୋଧ ହୁଏ ମଣିଷ ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇନେଇଛି । ଆଧୁନିକ ସମାଜ ଓ ବୈବାହିକ ଜୀବନ ଆଗରେ ଫିକା ପଡିଛି ମାଆର ମମତା । ସୁଦୂର ମାଲକାନଗିରି ଜିଲ୍ଲାର ଜଣେ ଅସହାୟ ବୃଦ୍ଧା ନିଜ ପୁଅବୋହୁଙ୍କଠାରୁ ତଡା ଖାଇ ବଂଚି ରହିବାକୁ ଅହରହ ସଂଘର୍ଷ ଚଳାଇଛନ୍ତି ।

କାଲିମେଳା ବ୍ଲକର ଏମ୍‌.ପି.ଭି-୨୩ ଗାଁରେ ଏକାକି ରହୁଛନ୍ତି ସବିତା ରାୟ । ବୟସର ଅପରାହ୍ନରେ ଜର୍ଜରିତ ହୋଇ ନିଜ ଲୁହକୁ ସାଥୀ ବନାଇଛନ୍ତି । ନିଜେ ଭୋକିଲା ରହି ପୁଅକୁ ଉଚ୍ଚଶିକ୍ଷିତ କରି ଇଂଜିନିଅର ବନାଇଥିଲେ । ହେଲେ ଚାକିରୀ ପାଇବା ପରେ ବିବାହ କରି ସେହି ପୁଅ ଏବେ ଅନ୍ୟତ୍ର ରହୁଛି । ସ୍ତ୍ରୀ ପାଇଁ ଜାଗାବାଡି ସବୁ କରିଛି, ହେଲେ ଏହି ଅସହାୟ ମାଆ ପାଇଁ ପୁଅ ପାଖରେ ସମୟର ଘୋର ଅଭାବ ।

ପୁଅବୋହୁଙ୍କଠାରୁ ଉପେକ୍ଷିତ ହୋଇଥିବା ସବିତା ଏବେ ଅଣ୍ଟା ସଳଖି ଚାଲିପାରୁନାହାଁନ୍ତି । ତଥାପି ପେଟକୁ ଦୁଇ ମୁଠା ଦାନା ଦେବା ପାଇଁ ସେ ଦୀର୍ଘ ୪୦ ବର୍ଷ ଧରି ସଂଘର୍ଷରତ । ଦିନ ଥିଲା ଏମ୍‌.ପି.ଭି-୬୪ ନମ୍ବର ଗାଁରେ ନିଜ ପୁଅଝିଅଙ୍କ ସହ ସେ ବେଶ ହସଖୁସୀରେ ରହୁଥିଲେ । ହେଲେ ପରିବାରରେ ଫାଟ ସୃଷ୍ଟି ହେବା ପରେ ସ୍ୱାମୀ, ପୁଅ ଓ ଝିଅଠାରୁ ତଡା ଖାଇ ନିଜ ବାପ ଘରକୁ ଚାଲିଆସିଥିଲେ ।

ଗଡିଚାଲିଥିଲା ସମୟ, ହେଲେ ସ୍ୱାମୀଙ୍କ ସହ ସମ୍ପର୍କରେ କୌଣସି ସୁଧାର ଆସିନଥିଲା । ପିଲାଛୁଆଙ୍କୁ ମଣିଷ କରିବା ପାଇଁ କାଲିମେଳାର ଏକ ବିଡି କମ୍ପାନୀରେ କାମ କରିଥିଲେ । ସମୟକ୍ରମେ ଝିଅ ବାହା ହୋଇ ଦିଲ୍ଲୀ ଚାଲିଗଲା, ପରେ ପୁଅ ମାଥିଲି ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରୀ ପାଇଲେ । ହେଲେ ଏବେ ବି ଏକାକି ରହିଯାଇଛନ୍ତି ଅସହାୟ ସବିତା ରାୟ । ସରକାରୀ ସହାୟତା ବାବଦକୁ ମାସକୁ ମିଳୁଛି ୫ କି.ଗ୍ରା ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା । ହେଲେ ସବିତାଙ୍କ ଆଖିର ଲୁହ ପୋଛିବା ପାଇଁ ଏବେ ବି ତାଙ୍କ ପାଖରେ ନିଜର ବୋଲି କେହି ନାହାଁନ୍ତି ।

Leave A Reply

Your email address will not be published.