Latest Odisha News

ଅଲିମ୍ପିକ୍ସ ଅପବାଦ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡାର ଇତିହାସ ବିବାଦ ଓ ଅପବାଦରୁ ମୁକ୍ତ ନୁହେଁ । ରାଜନୈତିକ ହସ୍ତକ୍ଷପ, ବର୍ଣ୍ଣବୈଷମ୍ୟ, ବୟକଟ୍‌, ଆତଙ୍କବାଦୀ ଆକ୍ରମଣ ଓ ଡ୍ରଗ୍ସ ସ୍କାଣ୍ଡାଲ ଯୋଗୁଁ ମଳିନ ହୋଇଛି ଅଲିମ୍ପିକ୍ସ ।

୧୯୩୬ ମସିହାରେ ବର୍ଲିନ ଅଲିମ୍ପିକ୍ସ କ୍ରୀଡାକୁ ନାଜି ପ୍ରୋପୋଗାଣ୍ଡା ପାଇଁ ବ୍ୟବହାର କରିଥିଲେ ଆଡଲଫ୍ ହିଟଲର । ହିଟଲର ଓ ନାଜି ଜର୍ମୀନୀର ଇହୁଦୀ ବିରୋଧୀ ନୀତି ବର୍ଲିନ ଅଲିମ୍ପିକ୍ସରେ ପ୍ରତିଫଳତି ହୋଇଥିଲା । ଜର୍ମାନ ଜାତି ଓ ଆର୍ଯ୍ୟନ ସୁପ୍ରିମାସିରେ ବିଶ୍ୱାସ କରୁଥିବା ହିଟଲରଙ୍କୁ  ଆମେରିକାର କୃଷ୍ଣକାୟ ଆଥଲେଟ୍ ଜେସି ଓୱେନସ୍ ନିଜ ପ୍ରଦର୍ଶନ ବଳରେ ବଡ୍ ଝଟକା ଦେଇଥିଲେ । ବର୍ଲିନ ଅଲିମ୍ପିକ୍ସକୁ କେହେ କେହି ନାଜି ଅଲିମ୍ପିକ୍ସ ବୋଲି କହନ୍ତି ।

୧୯୭୨ ମସିହାରେ ମ୍ୟୁନିକ ଅଲିମ୍ପିକ୍ସ ବେଳେ ଘଟିଥିଲା ରକ୍ତପାତ । ଆତଙ୍କବାଦୀମାନେ ରଚିଥିଲେ ନରସଂହାର । କିଛି ସମୟ ପାଇଁ କ୍ରୀଡା ବନ୍ଦ ରହିଥିଲା । ୧୧ ଇସ୍ରାଏଲୀ ଆଥଲେଟଙ୍କୁ ବନ୍ଧକ ରଖି ହତ୍ୟା କରିଥିଲେ ପାଲେଷ୍ଟିନୀୟ ଆତଙ୍କବାଦୀ ।  ୫ ଆତଙ୍କବାଦୀଙ୍କ ସହ ଜଣେ ପୋଲିସ କର୍ମୀ ମଧ୍ୟ ନିହତ ହୋଇଥିଲେ ।

୧୯୮୦ ମସ୍କୋ ଅଲିମ୍ପିକ୍ସରେ ପଡିଥିଲା ତତ୍କାଳୀନ ବିଶ୍ୱ ରାଜନୀତିର ପ୍ରଭାବ । ଶୀତଳଯୁଦ୍ଧ ଶୀର୍ଷରେ ଥିବା ବେଳେ ମସ୍କୋ ଅଲିମ୍ପିକ୍ସକୁ ବର୍ଜନ କରିଥିଲେ ଆମେରିକା ଓ ଏହାର ସହଯୋଗୀ ଦେଶ । ୬୦ରୁ ଅଧିକ ଦେଶର ବର୍ଜନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମସ୍କୋ ଅଲିମ୍ପିକ୍ସ । ତତ୍କାଳୀନ କମ୍ୟୁନିଷ୍ଟ ସୋଭିଏତ ସଂଘର ଆଫଗାନିସ୍ତାନ ଆକ୍ରମଣ ପ୍ରତିବାଦରେ ଆମେରିକା ଓ ସହଯୋଗୀ ମସ୍କୋ ଅଲିମ୍ପିକ୍ସ ବର୍ଜନ କରିଥିଲେ । ଚାରିବର୍ଷ ପରେ ଲସଆଂଜେଲସ୍ କ୍ରୀଡାକୁ ବର୍ଜନ କରିଥିଲେ ସୋଭିଏତ ସଂଘ ଓ ସହଯୋଗୀ ରାଷ୍ଟ୍ର ।

୧୯୮୮ ମସିହା ସିଓଲ ଅଲିମ୍ପିକ୍ସ କ୍ରୀଡା ଏକ ବଡଧରଣର ଡୋପିଂ ସ୍କାଣ୍ଡାଲ ଯୋଗୁଁ ଚର୍ଚ୍ଚାରେ ରହିଥିଲା । ପୁରୁଷ ୧୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ଟାଇମିଂ ସହ ବାଜି ମାରିଥିଲେ କାନାଡା ଧାବକ ବେନ୍ ଜନସନ । ପରୀକ୍ଷଣରୁ ପରେ ଜଣାପଡିଲା ଯେ,ଏକ ନିଷିଦ୍ଧ ନିଶା ଔଷଧ ସେବନ କରିଥଲେ ଜନସନ୍ । ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ପ୍ରତ୍ୟାହାର କରାଯାଇ କାର୍ଲ ଲୁଇସଙ୍କୁ ଦିଆଯାଇଥିଲା ।

୧୯୯୬ ମସିହା ଅଲିମ୍ପିକ୍ସ ଆମେରିକାର ଆଟଲାଂଟାରେ ଆୟୋଜିତ ହୋଇଥିଲା । କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏକ ବୋମା ବିସ୍ଫୋରଣରେ ଥରି ଉଠିଥିଲା ଆଟଲାଂଟାର ସେଂଟେନିଆଲ ଅଲିମ୍ପିକ ପାର୍କ । ଏକ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଥିଲା ବିସ୍ଫୋରଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଅଲିମ୍ପିକ ବନ୍ଦ ହୋଇନଥିଲା ।

Comments are closed.