Latest Odisha News

ଭିନେଶଙ୍କ ପାଇଁ ଅଲିମ୍ପିକ୍ସ ଅଶୁଭ

ନୂଆଦିଲ୍ଲୀ: ପ୍ୟାରିସରେ ଭାରତକୁ ବଡ ଝଟକା । ମହିଳା କୁସ୍ତିରେ ଧୂଳିସାତ ହୋଇଛି ଭିନେଶ ଫୋଗାଟଙ୍କ ପଦକ ଆଶା । ୫୦ କିଲୋଗ୍ରାମ ମହିଳା କୁସ୍ତିରେ ତିନି ତିନି ଜଣ ଟାଣୁଆ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ । ଉଲ୍ଲସିତ ହୋଇଥିଲା ଦେଶ । ହଠାତ ସୂଚନା ମିଳିଲା ଯେ, ଅଧିକ ଓଜନ କାରଣରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କୁ କୌଣସି ପଦକ ମିଳିବ ନାହିଁ । ଭିନେଶ ଅଯୋଗ୍ୟ ଘୋଷିତ ହୋଇଥିବାରୁ କ୍ରୀଡାପ୍ରେମୀ ହତାଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନେଶଙ୍କ ମନୋବଳ ବଢାଇ ସାନ୍ତ୍ୱନା ଦେଇଛନ୍ତି । ସେ ଭାରତର ଟ୍ରୁ ଚାମ୍ପଅନ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି । ଦୃଢତାର ସହ ଭିନେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭିନେଶ ଅଯୋଗ୍ୟ ଘୋଷଣା ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ କ୍ରୀଡାପ୍ରେମୀ  ଓ ଅନେକ ପୂର୍ବତନ କ୍ରୀଡାବିତ । ଅଲିମ୍ପିଆନ ଅଭିନବ ବିନ୍ଦ୍ରା ଓ ବିଜେନ୍ଦର କୁମାର ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆରେ ଭିନେଶଙ୍କ ପାଇଁ ସାନ୍ତ୍ୱନାର ସୁଅ ଛୁୁଟିଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ କିଛି କରନ୍ତୁ ବୋଲି କେହି କେହି ଅପିଲ କରିଛନ୍ତି । ହଠାତ୍ ଏମିତି କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି । ଓଜନ ସାମାନ୍ୟ ଅଧିକ ହେଲେ କଣ ପ୍ରତିଯୋଗୀଙ୍କୁ ଅଯୋଗ୍ୟ ଘୋଷଣା ଜରୁରୀ କି ବୋଲି ପ୍ରଶ୍ନ କରିଛନ୍ତି ନେଟିଜେନ୍ । ଆଉ କିଛି ଅଯୋଗ୍ୟ ଘଟଣାରେ ରାଜନୀତିର ଗନ୍ଧ ବାରିଛନ୍ତି । ଏବେ ଖାଲି ହାତରେ ଫେରିବେ ଭିନେଶ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତର ୫ ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଭିନେଶ ଥିଲେ ଅନ୍ୟତମ ।

ଗତବର୍ଷ ଭିନେଶ ଭାରତୀୟ କୁସ୍ତି ସଂଘରେ ଯୈାନ କେଳେଙ୍କାରୀ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିଲା ଯୈାନ ଉତ୍ପୀଡନ ଅଭିଯୋଗ । ଭିନେଶ ଫୋଗାଟଙ୍କ ସହ ବଜରଙ୍ଗ ପୁନିଆ ଓ ଆଉ କିଛି ରେସଲର ରାସ୍ତାକୁ ଓହ୍ଲାଇଥିଲେ । ବ୍ରିଜଭୂଷଣଙ୍କ ବିରୋଧରେ ଦାବି କରିଥିଲେ କଡା କାର୍ଯ୍ୟାନୁଷ୍ଠାନ । ସରକାରୀ ଉଦାସୀନତା ପ୍ରତିବାଦରେ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାରକୁ ଦିଲ୍ଲୀ ଫୁଟପାଥରେ ରଖିଦେଇଥିଲେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍ । ପରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଇସ୍ତଫା ଦେଇଥିଲେ ବ୍ରିଜଭୂଷଣ ।

ଭିନେଶ ଫୋଗାଟ ଭାରତର ସଫଳ ମହିଳା ରେସଲରଙ୍କ ମଧରୁ ଜଣେ । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ବ୍ରୋଞ୍ଜ ସମେତ ରାଜ୍ୟଗୋଷ୍ଠୀ, ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭିନେଶ । ଦୁର୍ଭାଗ୍ୟ ଯେ, ତିନିଟି ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ପଦକ ଜିତିପାରିନାହାନ୍ତି ଭିନେଶ । ୨୦୧୬ ରିଓ ଅଲିମ୍ପିକ୍ସରେ ୪୮ କିଲୋ ବର୍ଗରେ ଭାଗ ନେଇଥିଲେ  ଭିନେଶ । ଆହତ ଯୋଗୁଁ କ୍ୱାର୍ଟର ଫାଇନାଲରୁ ଓହରି ଯାଇଥିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୫୩ କିଲୋଗ୍ରାମ ବର୍ଗରେ ଭାଗ ନେଇ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ ଭିନେଶ । ଆଉ ଏଥର ଅଯୋଗ୍ୟ ଘୋଷିତ । ଅଲିମ୍ପିକ୍ସ ଭିନେଶଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି ।

 

 

 

Comments are closed.