Latest Odisha News

ଅଲିମ୍ପିକ୍ସର ଫ୍ରେଞ୍ଚ କନେକସନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡା ହେଉଛି ଗ୍ରୀସର ଅବଦାନ । ପ୍ରାଚୀନ ଗ୍ରୀସ ଥିଲା ଅଲିମ୍ପିକ କ୍ରୀଡାର ଉତ୍ପତ୍ତି ସ୍ଥଳ । କିନ୍ତୁ ଜଣେ ଫରାସୀ ଭଦ୍ରଲୋକ ଯଦି ଉଦ୍ୟମ କରିନଥାନ୍ତେ, ତାହା ହେଲେ ଅଲିମ୍ପିକ କ୍ରୀଡା ହୁଏତ ଇତିହାସ ପୃଷ୍ଠାରେ ହିଁ ରହିଯାଆନ୍ତା।

ଅଲିମ୍ପିକ କ୍ରୀଡା ପୁନଃ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ ଫ୍ରାନ୍ସର ବାରୋଁ ପିୟର ଡି କୁବର୍ଟିନ ନାମକ ଜଣେ ବୁଦ୍ଧିଜାବୀ, ଶିକ୍ଷାବିତ ଓ କ୍ରୀଡାପ୍ରେମୀ । କୁବର୍ଟିନ ହିଁ ଆଧୁନିକ ଅଲିମ୍ପିକ କ୍ରୀଡାର ଜନକ ଭାବେ ସ୍ୱୀକୃତ । ୧୮୬୩ ମସିହାରେ ଜନ୍ମିତ କୁବର୍ଟିନଙ୍କ ପିଲାଦିନରୁ ହିଁ ଖେଳକୁଦ ପ୍ରତି ଆଗ୍ରହ ଥିଲା । ପ୍ରୀଚୀନ ଅଲିମ୍ପିକ କ୍ରୀଡା ବିଷୟରେ ବିଶେଷ ଜ୍ଞାନ ଅର୍ଜନ କରିଥିଲେ କୁବର୍ଟିନ । ଶିକ୍ଷକତା କରୁଥିବା ସମୟରେ ପ୍ରାଚୀନ ଅଲିମ୍ପିକ୍ସ ଢାଂଚାରେ ଏକ ବିଶ୍ୱ କ୍ରୀଡା ଉତ୍ସବର ପରିକଳ୍ପନା କରିଥିଲେ କୁବର୍ଟ୍‌ନ। ଗ୍ରୀସ୍‌ର ପ୍ରାଚୀନ ଅଲିମ୍ପିକ ସ୍ଥଳ ପରିଦର୍ଶନ କଲା ପରେ ଆଧୁନିକ ଅଲିମ୍ପିକ କ୍ରୀଡା ଆୟୋଜନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ କୁବର୍ଟିନ।

ସମର୍ଥନ ହାସଲ ପାଇଁ ବିଭିନ୍ନ ଦେଶ ଗସ୍ତ କରିଥିଲେ। ୧୮୯୨ ମସିହା ନଭେମ୍ବରରେ ଫ୍ରାନସର ତତ୍କାଳୀନ କ୍ରୀଡା ସଂଘ – ଦି ୟୁନିଅନ ଅଫ ଫ୍ରେଞ୍ଚ ଞ୍ଚଆଥଲେଟିକ ସ୍ପୋର୍ଟସ ସୋସାଇଟିଜ୍‌ର ବୈଠକରେ ଅଲିମ୍ପିକ କ୍ରୀଡା ପୁଣି ଆରମ୍ଭ ନେଇ ପ୍ରସ୍ତାବ ରଖିଥିଲେ କୁବର୍ଟିନ । ୧୮୯୪ ମସିହା ଜୁନ ୨୩ରେ ପ୍ୟାରିସର ସୋରୋବୋନ ବିଶ୍ୱବିଦ୍ୟାଳୟର ଭବ୍ୟ ଆମ୍ଫିଥିଏଟରରେ ଅଲିମ୍ପିକ କ୍ରୀଡାର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରଖିଥିଲେ କୁବର୍ଟିନ୍। ପ୍ରସ୍ତାବକୁ ମିଳିଥିଲା ବିପୁଳ ସମର୍ଥନ । ସେହି ଦିନ ହିଁ ଗଠନ ହୋଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି- ଆଇଓସି । ଆଧୁନିକ ଅଲିମ୍ପିକ କ୍ରୀଡାର ପ୍ରଥମ ସଂସ୍କରଣ କୁବର୍ଟିନଙ୍କ ନିଜ ଦେଶ ଫ୍ରାନସରେ ଆୟୋଜନ ପାଇଁ ମିଳିଥିଲା ପ୍ରସ୍ତାବ । କିନ୍ତୁ ୍‌ଅଲିମ୍ପିକ କ୍ରୀଡାର ଜନ୍ମସ୍ଥଳ ହୋଇଥିବାରୁ ଗ୍ରୀସ ରାଜଧାନୀ ଏଥେନସରେ ହିଁ ଆଧୁନିକ କ୍ରୀଡାର ଉଦଘାଟନୀ ସଂସ୍କରଣ ପାଇଁ ନିଷ୍ପତ୍ତି ହୋଇଥିଲା ।

୧୮୯୬ ମସିହାରେ ଗ୍ରୀସ ରାଜଧାନୀ ଏଥେନ୍ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡା । ସାକାର ହୋଇଥିଲା କୁବର୍ଟିନଙ୍କ ସ୍ୱପ୍ନ । ଗ୍ରୀସ୍‌୍ ରାଜା ପ୍ରଥମ ଜର୍ଜିୟସ ଓ ୬୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଉଦଘାଟନୀ ଆଧୁନିକ ଅଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ । ଉଦଘାଟନୀ ସଂସ୍କରଣରେ ଭାଗ ନେଇଥିଲେ ୧୩ଟି ଦେଶର ୨୮୦ ପ୍ରତିଯୋଗୀ । ଏଥେନ୍ସଠୁ ଆରମ୍ଭ ହୋଇଥିଲା ଆଧୁନିକ ଅଲିମ୍ପିକ୍ସର ଘଟଣାବହୁଳ ଯାତ୍ରା।

କୁବର୍ଟିନ ୧୮୯୬ରୁ ୧୯୨୫ ଯାଏଁ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଅଧ୍ୟକ୍ଷ ରହିଥିଲେ । ଅଲିମ୍ପିକ କ୍ରୀଡାର ପ୍ରତୀକ ୫ଟି ରିଙ୍ଗ୍‌, ଉଦଘାଟନ ଓ ଉଦଯାପନ ଉତ୍ସବ, କ୍ରୀଡାବିତଙ୍କ ଶପଥ ପରମ୍ପରା କୁବର୍ଟିନ ହିଁ ଆରମ୍ଭ କରିଥିଲେ । ୧୯୩୭ରେ ସ୍ୱିଜରଲାଣ୍ଡର ଜେନିଭାରେ ଆଖି ବୁଜିଥିଲେ କୁବର୍ଟିନ। ଜୀବନରେ ଜିତିବା ଅପେକ୍ଷା ସଂଘର୍ଷ କରିବା ହିଁ ମହତ୍ତ୍ୱପୂର୍ଣ୍ଣ । କୁବର୍ଟିନଙ୍କ ଏହି ଉକ୍ତି ଆଜି ଜୀବନ୍ତ ।

Comments are closed.