Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ ବା ଓଏମସି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ଚେକକୁ ଗ୍ରହଣ କରିଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଓଏମସି ୫୧୬୨ କୋଟି ଟଙ୍କାର ରାଜସ୍ବ ଆଦାୟ କରି ରେକର୍ଡ଼ ସୃଷ୍ଟି କରିଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ । ଓଏମସି ଆସନ୍ତା ୨ରୁ ୩ବର୍ଷ ମଧ୍ୟରେ ଉତ୍ପାଦନ ତଥା ରାଜସ୍ବ ଆଦାୟକୁ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ଓଏମସିର ୧୦ଟି ଖଣି କାର୍ଯ୍ୟକ୍ଷମ ରହିଛି । ସେଥିମଧ୍ୟରୁ ୭ଟି ଲୌହ, ଦୁଇଟି କ୍ରୋମ, ଗୋଟିଏ ବକ୍‌ସାଇଟ୍ ଖଣି ଅଛି । ଚଳିତ ବର୍ଷ ଫେବୃଆରୀ ମାସରେ ଝିଲିଙ୍ଗ-ଲଙ୍ଗଲୋଟା ଏବଂ ଗୁଆଲି ନାମକ ଦୁଇଟି ନୂତନ ଲୌହ ଖଣିରୁ ଉତ୍ପାଦନ ଆରମ୍ଭ କରିଛି ଓଏମସି ।

ରାଜ୍ୟ ସରକାରଙ୍କୁ ଆବଶ୍ୟକ ସ୍ଥଳେ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟରେ ସମର୍ଥନ କରିଆସୁଛି ଓଏମସି । କୋଭିଡ଼ ମହାମାରୀ ବିରୋଧର ଲଢ଼େଇରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛି ଓଏମସି । ଏଥିସହ ରାଜ୍ୟର ୮ଟି ଜିଲ୍ଲାରେ ଥିବା ୧୦ଟି କୋଭିଡ଼ ଡାକ୍ତରଖାନାକୁ ଆର୍ଥିକ ସହାୟତା ଯୋଗାଇଛି ଓଏମସି ।

Leave A Reply

Your email address will not be published.