Latest Odisha News

BREAKING NEWS

ଓଏମସିର ଦୁଇ ଖଣିକୁ ଆଇବିଏମର ସମ୍ମାନଜନକ ୫ ଷ୍ଟାର ମୂଲ୍ୟାଙ୍କନ ପୁରସ୍କାର

ଭୁବନେଶ୍ବର: ଉତ୍‌କୃଷ୍ଟ ଗୁଣବତ୍ତା ଓ ଆନ୍ତର୍ଜାତୀୟ ମାନକ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମସି)ର ଦୈତାରୀ ଲୌହ ଖଣି ଓ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଭାରତ ସରକାରଙ୍କ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ଦ୍ବାରା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପାଞ୍ଚ ତାରକା ମୂଲ୍ୟାଙ୍କନ ପ୍ରଦାନ କରାଯାଇଛି।

୨୦୨୫ ମସିହା ଜୁଲାଇ ୭ରେ ରାଜସ୍ଥାନ ସ୍ଥିତ ଜୟପୁର ସହରରେ ଆୟୋଜିତ ଆଇବିଏମର ବାର୍ଷିକ ସମାରୋହରେ ଭାରତ ସରକାରଙ୍କ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଓଏମସି ଉନ୍ନତମାନର ଖଣି ଖନନ ତଥା ପରିବେଶ ସଂରକ୍ଷଣ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ଦୈତାରୀ ଏବଂ କୋଡିଙ୍ଗାମାଳି ଖଣି ସେମାନଙ୍କର ସୁ-ବ୍ୟବସ୍ଥିତ ଖଣି ଯୋଜନା, ପ୍ରଭାବଶାଳୀ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପଦକ୍ଷେପ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟର ବିକାଶରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛନ୍ତି। ଏଥିସହିତ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ମଧ୍ଯ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ ଏହି ପଞ୍ଚ ତାରକା ମୂଲ୍ୟାଙ୍କନ ପୁରସ୍କାର, ଆଇବିଏମ ଷ୍ଟାର ମୂଲ୍ୟାଙ୍କନ ଅଧୀନରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଏହି ପୁରସ୍କାର, ବୈଜ୍ଞାନିକ ଓ ଦାୟିତ୍ଵପୂର୍ଣ୍ଣ ଖଣିଚାଳନ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ କାର୍ଯ୍ୟ ବୃଦ୍ଧି, ପରିବେଶ ସଂରକ୍ଷଣ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ, ତଥା ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନତିରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ଖଣିଗୁଡ଼ିକୁ ଦିଆଯାଏ।

 

Comments are closed.