Latest Odisha News

BREAKING NEWS

ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ୍ୟୁର ଦଶ ଦିନ ପରେ ଆସିଲା ଓମିକ୍ରନ ଟେଷ୍ଟିଂ ରିପୋର୍ଟ।

ଗତ ଡିସେମ୍ୱର ୨୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଞ୍ଚାୟତ, ଡୁଙ୍ଗୁରିପାଲି ଗାଁର ଇନ୍ଦିରା ନାୟକ ହଠାତ ଗାଁରେ ରାସ୍ତା ଉପରେ ପଡ଼ିଯାଇଥିଲେ। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ ୨୨ ତାରିଖରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରି କରୋନା ପରୀକ୍ଷା କରାଯାଇଥିଲା। ୨୩ ତାରିଖରେ ସେ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା। ତାପରେ ତାଙ୍କର ଓମିକ୍ରନ ପରୀକ୍ଷା ପାଇଁ ସ୍ୱାବ୍ ପଠାଯାଇଥିଲା। ଓମିକ୍ରନ ଟେଷ୍ଟ ରିପୋର୍ଟ ଆସିବା ଆଗରୁ ଗତ ୨୭ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଭିମସାର ପକ୍ଷରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଏବଂ ଗାଁ ଲୋକେ ଏକାଠି ଶବ ସତ୍କାର କରିଥିଲେ । ଶବ ସତ୍କାରର ଦଶ ଦିନ ପରେ ଗତକାଲି, ମୃତ ମହିଳା ଜଣକ ଓମିକ୍ରନ ଆକ୍ରନ୍ତ ହୋଇଥିଲେ ବୋଲି ରିପୋର୍ଟ ଆସିଛି। ଅନେକ ଲୋକ ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.