Latest Odisha News

BREAKING NEWS

ଜୁଲାଇ ୩ରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମୋଦୀ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ କେନ୍ଦ୍ରମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ଏହି ବୈଠକ ଦିଲ୍ଲୀର ପ୍ରଗତି ମଇଦାନର ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁଠାରେ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସହ ଏକ ବୈଠକ କରିଥିଲେ। ସରକାର ଏବଂ ବିଜେପି ସଂଗଠନରେ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ମୋଦୀ ଡାକିଥିବା ବୈଠକ ପରେ ମନ୍ତ୍ରୀ ପରିଷଦରେ ଅନେକ ପରିବର୍ତ୍ତନ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଶାହ, ନଡ୍ଡା ଏବଂ ବିଜେପି ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଉପସ୍ଥିତ ଥିଲେ। ଚଳିତବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।

ଏହା ବ୍ୟତୀତ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଯଦିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହାନ୍ତି, କିନ୍ତୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଗତ କିଛି ଦିନ ହେବ ଅମିତ ଶାହ, ନଡ୍ଡା ଏବଂ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷ ସାଂଗଠନିକ ତଥା ରାଜନୈତିକ ପ୍ରସଙ୍ଗରେ ଅନେକ ରାଉଣ୍ଡ ଆଲୋଚନା କରିଛନ୍ତି।

ଏହାପୂର୍ବରୁ ୬ ଜୁନ୍ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଂସଦର ମୌସୁମୀ ଅଧିବେଶନର କିଛି ଦିନ ପୂର୍ବରୁ ମନ୍ତ୍ରୀ ପରିଷଦର ଏହି ବୈଠକ ଅନୁଷ୍ଠିତ ହେଉଛି। ଜୁଲାଇର ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି।

Comments are closed.