Latest Odisha News

ରୋଗ ଛଡ଼ାଇବା ପାଇଁ ଦେଢ ବର୍ଷର ଶିଶୁର ଦାନ୍ତ ଭାଙ୍ଗି କଚାଡ଼ି ଦେଲା ତାନ୍ତ୍ରିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ରୋଗ ଭଲ କରିବା  ନାଁରେ ଜଣେ ତାନ୍ତ୍ରିକ ଛୋଟ ଶିଶୁର ଦାନ୍ତ ଭାଙ୍ଗି ଦେବା ସହ ତାଙ୍କୁ କଚାଡି ମାରିଦେଇଛି । ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଘଟଣାର ଛାନଭିନ ବି ଆରମ୍ଭ କରିଛି ।

ସ୍ଥାନୀୟ ଢାକର ଗାଁର ବାସିନ୍ଦା ସୌରଭଙ୍କ କହିବା ଅନୁଯାୟୀ, ତାଙ୍କ ଭାଇଙ୍କର ଦେଢ ବର୍ଷୀୟ ପୁଅ ଅନୁଜର ଦେହ ଖରାପ ହୋଇଥିଲା । ପରିବାର ଲୋକେ ତାକୁ ସ୍ଥାନୀୟ ଜଣେ ତାନ୍ତ୍ରିକଙ୍କ ପାଖକୁ ନେଇଥିଲେ । ଚିକିତ୍ସା ନାଁରେ ତାନ୍ତ୍ରିକ ଜଣକ ପିଲାଟିକୁ ଶାରୀରିକ ନିର୍ଯାତନା ଦେଇଥିଲେ । ପିଲାଟିର ଦାନ୍ତ ଭାଙ୍ଗି ଦେବା ସହ ମାଟି ଉପରେ ଟେକି କଚାଡି ଦେଇଥିଲେ । ଫଳରେ ପିଲାଟି ଅଚେତ ହୋଇଯାଇଥିଲା । ପରିବାର ଲୋକେ ତାକୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ଅନୁଜକୁ ମୃତ ଘୋଷଣା କରିଥିଲେ ।

ପୁଅର ମୃତ୍ୟୁ ପରେ ପରିବାର ଲୋକ ନିଜ ଭୁଲ ବୁଝି ପାରିଥିଲେ । ହେଲେ ସେତେବେଳକୁ ସବୁକିଛି ବିଗିଡି ଯାଇଥିଲା । ଏ ନେଇ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.