ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଯେଉଁଠି ପିଆଜ କିଲୋ ପିଛା ସାଧାରଣ ମୂଲ୍ୟ ୩୦ ଟଙ୍କା ଥିଲା, ବର୍ତ୍ତମାନ ପ୍ରାୟ ୬୦ ଟଙ୍କାରେ ପହଁଚିଛି। କେବଳ ଓଡ଼ିଶା ନୁହେଁ ଦେଶର ଅନେକ ରାଜ୍ୟରେ ଦର ବୃଦ୍ଧି ହୋଇଛି। ଆଉ ସପ୍ତାହକ ମଧ୍ୟରେ ଦର ଦୁଇ ଗୁଣା ହେବା ପରେ ଲୋକଙ୍କ ପକେଟ ଉପରେ ଗୋଟିଏ ବଡ଼ ବୋଝ ପଡିଛି। କାରଣ ଭାରତୀୟଙ୍କ ଖାଦ୍ୟ ବିନା ପିଆଜରେ ରୁଚେ ନାହିଁ।
କୁହାଯାଉଛି ଅନିୟମିତ ବର୍ଷା ହେତୁ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି। ତେବେ ପିଆଜର ମୂଲ୍ୟ ବୃଦ୍ଧିରୁ ସାଧାରଣ ନାଗରିକଙ୍କୁ କେନ୍ଦ୍ର ସରକାର ରିଲିଫ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ଦିଲ୍ଲୀ-ଏନସିଆର ସମେତ ବିଭିନ୍ନ ସହରରେ ପିଆଜ କିଲୋଗ୍ରାମ ପିଛା ୨୫ ଟଙ୍କାରେ ବିକ୍ରି ହେବ।
ଦେଶରେ ହାରାହାରି ଖୁଚୁରା ପିଆଜ ମୂଲ୍ୟ ୫୭ ପ୍ରତିଶତ ବୃଦ୍ଧି ହୋଇ ୪୭ କିଲୋଗ୍ରାମରେ ପହଞ୍ଚିଛି। ଏହା ସହିତ ଖୁଚୁରା ବଜାରରେ ଦର କମ୍ କରିବା ପାଇଁ କେନ୍ଦ୍ର ସରକାର ଗତକାଲି ବଫର ଷ୍ଟକରୁ ପିଆଜ ୨୫ କିଲୋଗ୍ରାମରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୭ରେ ପିଆଜର ଅଲ-ଇଣ୍ଡିଆର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମରେ ୪୭ ଟଙ୍କାକୁ ବୃଦ୍ଧି ପାଇଛି। ତଥ୍ୟ ଦର୍ଶାଉଛି ଯେ ରାଜଧାନୀ ଦିଲ୍ଲୀରେ ପିଆଜର ଖୁଚୁରା ମୂଲ୍ୟ ଅକ୍ଟୋବର ୨୭ରେ କେଜି ପିଛା ୪୦ ଟଙ୍କା ଥିଲା। ଯେତେବେଳେ କି ଏକ ବର୍ଷ ପୂର୍ବେ ଏହା କିଲୋଗ୍ରାମ ପାଇଁ ୩୦ ଟଙ୍କା ଥିଲା ।
ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ କହିଛନ୍ତି ଯେ ଆମେ ବଫର ପିଆଜ ଅନଲୋଡ୍ କରୁଛୁ ଏବଂ ମୂଲ୍ୟରେ ଅଧିକ ବୃଦ୍ଧିକୁ ରୋକିବା ଏବଂ ଗ୍ରାହକଙ୍କୁ ଆରାମ ପ୍ରଦାନ କରିବା ପାଇଁ ଆମେ ଖୁଚୁରା ବିକ୍ରି ବୃଦ୍ଧି କରୁଛୁ।
ମନ୍ତ୍ରଣାଳୟ କହିଛି ଯେ ଯେଉଁ ରାଜ୍ୟରେ ମୂଲ୍ୟ ଦ୍ରୁତ ଗତିରେ ବଢୁଛି, ହୋଲସେଲ ଏବଂ ଖୁଚୁରା ବଜାରରେ ବଫର ଷ୍ଟକରୁ ପିଆଜ ପଠାଇବାକୁ ବ୍ୟବସ୍ଥା ହେଉଛି। ଅଗଷ୍ଟ ମଧ୍ୟଭାଗରେ ୨୨ ଟି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧.୭ ଲକ୍ଷ ଟନ୍ ବଫର୍ ପିଆଜ ସଂରକ୍ଷିତ ହୋଇଛି।
Comments are closed.