ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି ।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ କେରଳ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ଏଥିରେ ୪ ଦିନ ଏପାଖ ସେପାଖ ହୋଇପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ସାଧାରଣତଃ ଜୁନ ୧ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁଥାଏ । କେରଳ ଛୁଇବାର ପ୍ରାୟ ୧ ସପ୍ତାହ ପରେ ଏହା ଓଡ଼ଶାରେ ପ୍ରବେଶ କରିଥାଏ । ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଚଳିତବର୍ଷ ମୌସୁମୀ ବର୍ଷା ପରିମାଣ ୯୬ ପ୍ରତିଶତ ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ ।
ଅନ୍ୟପକ୍ଷେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ସ୍କାଇମେଟ ପୂର୍ବାନୁମାନ କରିଥିଲା । ପ୍ରାୟ ୧ ସପ୍ତାହ ବିଳମ୍ବ ହୋଇପାରେ ବୋଲି ସ୍କାଇମେଟ କହିଥିଲା ।
Comments are closed.