Latest Odisha News

BREAKING NEWS

ଅପରେସନ ହ୍ଵାଇଟ ସ୍ପାଇଡର: ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ପ୍ରତିହତ କରିବା ପାଇଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ନିଶା ବେପାରୀଙ୍କ ପ୍ରତି କଠୋର ହେଉଛି କମିଶନରେଟ ପୋଲିସ। ନିଶା କାରବାର ବିରୋଧରେ ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ କରି ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ଵାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ୨୦୨୩ ମସିହା ଅକ୍ଟୋବର ମାସରେ ୦୬ ଗୋଟି ବେଆଇନ ବ୍ରାଉନସୁଗାର କାରବାର ଜନିତ ମାମଲାରେ ମୋଟ ୧୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସେମାନଙ୍କ ନିକଟରୁ ୮୧ଗ୍ରାମ ୪୪୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୮୦୫୦ ଟଙ୍କା, ୦୪ଟି ମୋବାଇଲ ଫୋନ ଏବଂ ୩ଟି ଦୁଇଚକିଆ ଯାନ ଜବତ କରାଯାଇଛି। ସେହିପରି ଚଳିତ ବର୍ଷ ଅକ୍ଟୋବର ମାସରେ ୦୪ଗୋଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୧ କ୍ଵିଣ୍ଟାଲ ୫୧କିଲୋଗ୍ରାମ ୫୦ଗ୍ରାମ ଓଜନର ଗଞ୍ଜେଇ, ୯୦୦ଟଙ୍କା, ୪ଟି ଚାରି ଚକିଆ ଯାନ ଏବଂ ୮ଗୋଟି ମୋବାଇଲ ଫୋନ ଜବତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ଵାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ସୁଦ୍ଧା ୫୪ଗୋଟି ବେଆଇନ ବ୍ରାଉନସୁଗାର କାରବାର ଜନିତ ମାମଲାରେ ମୋଟ ୧୦୬ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୯୧୦ ଗ୍ରାମ ୭୪୦ ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୧,୪୧,୭୫୫ଟଙ୍କା, ୪୩ଟି ମୋବାଇଲ ଫୋନ, ଗୋଟିଏ ୪ଚକିଆ ଓ ଗୋଟିଏ ୩ ଚକିଆ ଯାନ ଏବଂ ୨୨ଟି ଦୁଇଚକିଆ ଯାନ ଜବତ କରାଯାଇପାରିଛି।

ସେହିପରି ଚଳିତ ବର୍ଷ ଏଯାବତ ମୋଟ ୬୪ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୫୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୧୭ କୁଇଣ୍ଟାଲ ୬୦ କିଲୋଗ୍ରାମ ୩୧୯ ଗ୍ରାମ ୭୪ ମିଲିଗ୍ରାମ ଓଜନର ଗଞ୍ଜେଇ, ୯,୬୬,୧୬୯ ଟଙ୍କା, ୬୩ଟି ମୋବାଇଲ ଫୋନ, ୩୨ଟି ଯାନ ଜବତ କରଯାଇଛି।

Comments are closed.