Latest Odisha News

BREAKING NEWS

ସମ୍ବଲପୁରରେ ପରିସ୍ଥିତିକୁ ବିଗାଡିବାକୁ ବିରୋଧୀ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ନିକଟରେ ହନୁମାନ ଜୟନ୍ତୀ ପାଳନ ବେଳେ ହିଂସାକାଣ୍ଡ ଘଟିଥିଲା। ଯଦିଓ ଶାନ୍ତି ଫେରିଆସିଛି ହେଲେ ଏହି ପ୍ରସଙ୍ଗ ଏବେ ବି ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗତକାଲି ପ୍ରଚାର ବେଳେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସମ୍ବଲପୁରକୁ ପାକିସ୍ତାନ କରିଦେବୁ କି ବୋଲି କହିଥିଲେ। ଏହାପରେ  ବିରୋଧୀ ବିଜେପି ଓ ଶାସକ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ପୋଲିସ ଓ ପ୍ରଶାସନର ଅପାରଗତାକୁ ଦାୟୀ କରି ବିଜେଡି ସରକାର ଉପରେ ବର୍ଷିଛି ବିଜେପି। ଏହି ହିଂସାକାଣ୍ଡରେ ପୁଲିସ ଓ ପ୍ରଶାସନର ସମ୍ପୃକ୍ତି ଥିଲା ନା କେବଳ ପରିସ୍ଥିତିକୁ ସମ୍ଭାଳିବାକୁ ଅସମର୍ଥ ବୋଲି ବିରୋଧୀ ପ୍ରଶ୍ନ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ହିଂସାକାଣ୍ଡ ପାଇଁ ସରକାର କୌଣସି ଅଧିକାରୀଙ୍କୁ ଦାୟୀ କରୁନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଘଟଣା ଓଡିଶାରେ ଶାସନ ଉପରେ କଳା ଦାଗ ଲଗାଇଦେଇଛି, ସରକାର ଅପାରଗ ହୋଇପଡିଛନ୍ତି, ଅପରାଧୀଙ୍କୁ ଫାଇଦା ଉଠାଇବାକୁ ସୁଯୋଗ ଦେଉଛନ୍ତି।

ଏହାର ଜବାବରେ ଶାସକ ବିଜେଡି ଜୋର ଦେଇ କହିଛି ଯେ ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ସେମାନଙ୍କର ମୁଖ୍ୟ ଚିନ୍ତା। ହେଲେ ଏବେ ବି ଉତ୍ତେଜନା ଲାଗି ରହିପାରେ ବୋଲି ଦଳ ସ୍ୱୀକାର କରିବା ସହ ସାମାଜିକ ଶାନ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଜିଲ୍ଲାରେ ଆଉ ଉତ୍ତେଜନା ସୃଷ୍ଟି ହେବ ନାହିଁ ବୋଲି ଦଳ ଆଶା ପ୍ରକାଶ କରିଛି। ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ପରିସ୍ଥିତିକୁ ବିଗାଡିବାକୁ ବିରୋଧୀ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବରେ ଶୋଭାଯାତ୍ରାର ରାସ୍ତା ବା ରୁଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର କର୍ଫ୍ୟୁ ଜାରି କରିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲେ। ଶାନ୍ତି ଫେରିଆସିଥିବା ବେଳେ ଏଭଳି ଘଟଣା ପୁଲିସ ଓ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.