Latest Odisha News

BREAKING NEWS

ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଟର ସଦସ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ଯାଇଥିଲେ

ନୂଆଦିଲ୍ଲୀ: ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଚର ସଦସ୍ୟ। ଆଜି ଓ ଆସନ୍ତାକାଲି ଦୁଇ ଦିନ ହିଂସା ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ। ମଣିପୁର ହିଂସା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରତିଦିନ ବିତର୍କ ହେଉଛି। ଏହି କାରଣରୁ ଲୋକସଭାର ପ୍ରକ୍ରିୟା ପ୍ରତିଦିନ ସ୍ଥଗିତ ରଖାଯାଉଛି। ବିରୋଧୀ ଦଳଙ୍କ ନାରାବାଜି ଓ ହୋହାଲ୍ଲା ମଧ୍ୟରେ ଉଭୟ ଗୃହର ପ୍ରକ୍ରିୟା ଜୁଲାଇ ୩୧ ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହି ସମୟରେ, ଆଜି ୧୬ଟି ବିରୋଧୀ ଦଳର ୨୧ ସାଂସଦ ନେତା ମଣିପୁର ଗସ୍ତ କରିବାକୁ ଯାଉଛନ୍ତି। ଏଠାରେ ବିରୋଧୀ ଦଳର ନେତା ମଣିପୁର ହିଂସାର ଶିକାର ହୋଇଥିବା ଲୋକଙ୍କୁ ଭେଟି ରାଜ୍ୟରେ ପରିସ୍ଥିତିକୁ ଅନୁଧ୍ୟାନ କରିବେ। ତେବେ ମୋଟ୍ ୨୬ ଜଣ ନେତା ମଣିପୁର ଗସ୍ତ କରିବେ ବୋଲି ଗତକାଲି ତାଲିକା ପ୍ରକାଶ ପାଇଥିଲା। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହା ବିରୋଧୀ ଦଳର ନେତାଙ୍କ ଦୁଇ ଦିନିଆ ଗସ୍ତ ହେବ ଯାହା ରବିବାର ପର୍ଯ୍ୟନ୍ତ ଜାରି ରହିବ। ବିରୋଧୀ ଦଳଙ୍କ ମଧ୍ୟରେ କଂଗ୍ରେସର ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗୋଇ ଏବଂ ଜେଡିୟୁର ଲଲନ ସିଂ ଏବଂ ଟିଏମସିର ସୁସ୍ମିତା ଦେବ, ଡିଏମକେର କନିମୋଝୀ , ଆରଏଲଡିର ଜୟନ୍ତ ଚୌଧୁରୀ, ଆରଜେଡି ମନୋଜ କୁମାର ଝା ଭଳି ପ୍ରମୁଖ ନେତା ରହିଛନ୍ତି।

ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିରୋଧୀଦଳର ନେତାଙ୍କ ମଣିପୁର ଗସ୍ତରେ ତାଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ସେମାନେ ସେଠାରେ ପରିସ୍ଥିତିକୁ ଖରାପ କରିବା ଉଚିତ୍ ନୁହେଁ। ଉଲ୍ଲେଖନୀୟ କଥା ହେଉଛି, ଜଣେ ମହିଳାଙ୍କୁ ଉଲଗ୍ନ କରି ଚଲାଇବାର ଭିଡିଓ ମଣିପୁର ପ୍ରସଙ୍ଗକୁ ଅଧିକ ସରଗରମ କରିଛି।

Comments are closed.