ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବିରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ୧୨ଟି ବିରୋଧୀ ଦଳ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ରେଳବାଇ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ନୈତିକ ଦାୟିତ୍ୱ ଗ୍ରହଣ କରି ନିଜ ପଦରୁ ଅବ୍ୟାହତି ନିଅନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ପ୍ରତି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ପରିବାରର ସଦସ୍ୟଙ୍କୁ ଚାକିରି ଦେବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ ଏହି ଦୁର୍ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ଦାବି ହୋଇଛି।
ଏହାର ଜବାବରେ ଭାରତୀୟ ଜନତା ପାର୍ଟି ଏହି ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପକୁ ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଏହି ସ୍ଥାନ ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ବିଜେପି କହିଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିରୋଧୀ ଦଳଗୁଡ଼ିକୁ ପରିସ୍ଥିତିର ସମ୍ବେଦନଶୀଳତାକୁ ହୃଦୟଙ୍ଗମ କରି ରାଜନୈତିକ ଖେଳ ଖେଳିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜନୈତିକ ଏଜେଣ୍ଡାକୁ ଆଗକୁ ନେବା ପରିବର୍ତ୍ତେ କ୍ଷତିଗ୍ରସ୍ତ ପରିବାରର ଦୁଃଖ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସିବିଆଇ ସନ୍ଦିଗ୍ଧଙ୍କୁ ପୂର୍ବରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ରେଳବାଇ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ।
Comments are closed.