Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କ ଖେଳ ବିଗାଡିବାକୁ ପାଓ୍ୱାରଙ୍କୁ ପ୍ରାର୍ଥୀ କରିବେ ମମତା !

ନୂଆଦିଲ୍ଲୀ: ବିରୋଧୀଙ୍କ ତୁଳନାରେ ଅଧିକ ସଂଖ୍ୟକ ସମର୍ଥନ ରହିଥିଲେ ମଧ୍ୟ ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ଘୋଷଣା କରିନାହିଁ। ଏହାରି ଭିତରେ କିନ୍ତୁ ୟୁପିଏ ଅଂଶୀଦାର ଦଳଙ୍କ ସହ ସମ୍ପର୍କ ବଢ଼ାଇବାକୁ ବିଜେପି ଦଳର ସଭାପତି ଜେ.ପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ଆଉ ନିର୍ବାଚନ ଅଙ୍କ ଓଲଟ ପାଲଟ ହୋଇପାରେ ଆଶଙ୍କା କରି ଏବେ ବିରୋଧୀ ଦଳରେ ସାମିଲ ଥିବା ଅନେକ ଦଳ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ନାଁକୁ ଆଗକୁ ବଢ଼ାଇଛନ୍ତି।

ମହାରାଷ୍ଟ୍ରର ଏହି ରାଜନେତା ଦେଶର ଜଣେ ଜଣାଶୁଣା ଚେହେରା। ଏଥସହ ଦେଶର ସମସ୍ତ ରାଜନୈତିକ ଦଳ ସହ ପାଓ୍ୱାରଙ୍କର ରହିଛି ଭଲ ସମ୍ପର୍କ। ସେ ନବୀନ ହୁଅନ୍ତୁ ଅବା କେରଳର ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଏହାକୁ ନଜରରେ ରଖି ମମତା ବାନାର୍ଜୀ ଶରଦ ପାଓ୍ୱାରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଶରଦ ପାଓ୍ୱାରଙ୍କ ନାଁ ଚୂଡାନ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବୈଠକ କରିଥିବା ଜଣାପଡ଼ିଛି। ଏପରି ପ୍ରସ୍ତାବକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି ଓ ଡିଏମକେ ମଧ୍ୟ ସହମତି ପ୍ରକାଶ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୧୫ ତାରିଖରେ ବିରୋଧୀ ଦଳଗୁଡ଼ିକର ଏକ ମିଳିତ ବୈଠକ ଡକାଇ ଶରଦ ପାଓ୍ୱାରଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ରେ ଫଳାଫଳ ପ୍ରକାଶ ପାଇବ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ଶେଷ ହେବ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଶରଦ ପାଓ୍ୱାର କ’ଣ ନିଜେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ? ଗତକାଲି ମହାରାଷ୍ଟ୍ର ନେତା ଏକ ବୟାନ ଦେଇଥିଲେ ଯେ ସମୁଦ୍ରର ଗଭୀରତାକୁ ମାପିହେବ କିନ୍ତୁ ଶରଦ ପାଓ୍ୱାରଙ୍କ ହୃଦୟରେ କ’ଣ ଚାଲିଛି ତାହା ମାପିହେବ ନି।

ଉଲ୍ଲେଖଯୋଗ୍ୟ, ବିରୋଧୀ ଏକ ହୋଇଗଲେ ବିଜୟୀ ହେବା ସମ୍ଭାବନା କମିଯାଇପାରେ ବୋଲି ଏନଡିଏର ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ହୃଦବୋଧ କରିସାରିଛନ୍ତି। ତେଣୁ କିଛି ଗଡବଡ ନହେଉ ଆଶଙ୍କା କରି ନଡ୍ଡା ଏବଂ ରାଜନାଥଙ୍କୁ ବିରୋଧୀ ଶିବିରରେ ପଶି ଭୋଟ୍ ଯୋଗାଡ କରିବାକୁ ଆରମ୍ଭ କରିଛନ୍ତି ଅପେରସନ। ହେଲେ ଶରଦଙ୍କ ଭଳି ଅନୁଭବୀ ରାଜନେତାଙ୍କ ଚାଲ ଆଗରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ସରକାର ଗଢ଼ିବାରେ ବିଫଳ ହୋଇଥିଲା । ତେଣୁ ଏବେ ଶରଦ ରାଷ୍ଟ୍ରପତି ହେବାକୁ ଯାଇ ଏଭଳି କୌଣସି ଚକମା ଦେବେନି ତ?

Leave A Reply

Your email address will not be published.