Latest Odisha News

ଓସଜା ଏଜିଏମ ଅନୁଷ୍ଠିତ: ଜୁନରେ ଭୁବନେଶ୍ୱରରେ ହେବ ଏସଜେଏଫଆଇ ବୈଠକ

ଭୁବନେଶ୍ୱର:ଶୁକ୍ରବାର ଓସ୍‍ଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ସଂଘର ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ପୋର୍ଟିଂ କ୍ଳବ୍‍ ପରିସରରେ ଥିବା ଦିଲୀପ ତିର୍କୀ ହଲରେ ଅନୁଷ୍ଠିତ ଏଜିଏମ୍‍ରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂଗଠନର କାର୍ଯ୍ୟଧାରା ଓ ଉତ୍ସବର ସମୀକ୍ଷା ସାଙ୍ଗକୁ ୨୦୨୫-୨୬ ଆର୍ଥିକ ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଜୁଲାଇ ୨ ତାରିଖରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ସମାରୋହ ଆଡମ୍ବର ସହ ପାଳନ କରାଯିବା ଏବଂ ସେହି ଅବସରରେ ସ୍ମରଣିକା ପ୍ରକାଶର ନିଷ୍ପତ୍ତି ହୋଇଥିଲା ।

ଅଗଷ୍ଟ ୧୮ ତାରିଖରେ ସ୍ୱର୍ଗତ ଅଶୋକ ପଟ୍ଟାନୟକ ଶ୍ରାଦ୍ଧ ଦିବସ ସମାରୋହ ମଧ୍ୟ ଆୟୋଜନ ବାବଦରେ କରାଯାଇଥିଲା ଚର୍ଚ୍ଚା । ରାଜ୍ୟ ସରକାରଙ୍କୁ ନିକଟ ଅତୀତରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରର ସ୍ଥିତିକୁ ନେଇ ଏଜିଏମ୍‍ରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ସଭାପତି ସନ୍ଦୀପ ମିଶ୍ର । ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ବା ଏସଜେଏଫଆଇର ଏଜିଏମ୍‍ ଆସନ୍ତା ଜୁନ ମାସରେ ଭୁବନେଶ୍ୱରରେ ଆୟୋଜନ ପାଇଁ ଓସ୍‍ଜାକୁ ଦାୟିତ୍ୱ ମିଳିଥିବାରୁ ତା’ର ସଫଳ ଆୟୋଜନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.