ଭୁବନେଶ୍ୱର:ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାର ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ବା ଓସ୍ଜାର ବାର୍ଷିକ ପୁରସ୍କାର ହାସଲ କରିବେ । ଗତବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା ରାୟଙ୍କୁ ୨୦୨୪ର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଭାରତୀୟ ମହିଳା ଫୁଟବଲ ଦଳର ସଫଳତାରେ ବିଶେଷ ଯୋଗଦାନ ଦେଇଥିବା ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ସକାଶେ ପୁରସ୍କାର ପ୍ରଦାନ କରାଯିବ । ଜାନୁଆରୀ ୧୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଓସ୍ଜାର ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଓସ୍ଜାର ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ପିତା ବିଶିଷ୍ଟ ଫୁଟବଲର ଅବ୍ଦୁଲ ଜବାରଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ମହମ୍ମଦ ସହିଦ ଜବାର ଓଡ଼ିଶା ଫୁଟବଲ ଦଳ ପକ୍ଷରୁ ଅନେକ ବର୍ଷ ପ୍ରତିନିଧିତ୍ୱ କରିଥିଲେ । ସେ ଜାତୀୟ ଜୁନିୟର ଏବଂ ଜାତୀୟ ସିନିୟର ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅନେକ ବର୍ଷ ଖେଳିବା ସହ ଦୀର୍ଘ ୧୫ବର୍ଷ ଓଡ଼ିଶା ପୁଲିସ୍ ଦଳର ସଦସ୍ୟ ଭାବରେ ସର୍ବଭାରତୀୟ ପୁଲିସ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫୁଟବଲରୁ ଖେଳାଳି ଭାବେ ଅବସର ନେବା ପରେ କୋଚିଂ ପ୍ରତି ଧ୍ୟାନ ଦେଇଥିବା ସହିଦ ଜବାର ଭାରତୀୟ ମହିଳା ଫୁଟବଲ ଦଳର ବହୁବର୍ଷ ରହିଥିଲେ ମୁଖ୍ୟ କୋଚ । ତାଙ୍କ ଅଧିନରେ ସାଫ୍ ଚମ୍ପିଆନ୍ସିପ୍ ଏବଂ ଅନେକ ବଡ଼ ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ସହ ଭାରତୀୟ ମହିଳା ଦଳ ଟାଇଟଲ ଜିତିଥିଲା । ଏଥିସହ ସେ ଓଡ଼ିଶାର ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ଦଳର କୋଚ ଭାବେ ମଧ୍ୟ ଦାୟିତ୍ୱ ସଂପାଦନ କରିଛନ୍ତି । ଏସିଆନ୍ ଫୁଟବଲ ସଂଘର କୋଚିଂ ତାଲିମ ମଧ୍ୟ ପୂର୍ଣ୍ଣ କରିଥିବା ସହିଦ ଜବାର ଏବେ ବି କୋଚ ଏବଂ ଫୁଟବଲ ପ୍ରଶାସକ ଭାବେ ଅଛନ୍ତି ସକ୍ରିୟ ।
ଓଡ଼ିଶା ସନ୍ତରଣର ମାର୍ଗଦର୍ଶକ ଭାବେ ପରିଚିତ ପ୍ରତ୍ୟାଶା ରାୟ ୨୦୨୪ରେ ଏକାଧିକ ବିଶେଷ ସଫଳତା ହାସଲ କରିଥିଲେ । ସେ ଗତବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏଥିସହ ୨୦୨୪ରେ ସେ ଆନ୍ତର୍ଜାତିକସ୍ତରରେ ମଧ୍ୟ ମେଡାଲ ଜିତିଥିଲେ । ୨୦୨୪ରେ ଦକ୍ଷିଣର ଆଫ୍ରିକାର ପ୍ରିଟୋରିଆରେ ଅନୁଷ୍ଠିତ ପ୍ରିମିୟର ପ୍ରାଦେଶିକ ସନ୍ତରଣ ପ୍ରତିଯୋଗିତାରେ ସେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଥିଲେ । ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳର ପ୍ରତିନିଧିତ୍ୱ କରି ଖେଲୋ ଇଣ୍ଡିଆ ଗେମ୍ସରେ ସେ ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୪ମସିହାର ଏକଲବ୍ୟ ପୁରସ୍କାର ମଧ୍ୟ ମିଳିଥିଲା ପ୍ରତ୍ୟାଶା ରାୟଙ୍କୁ ।
ଉଭୟ ସହିଦ ଜବାର ଏବଂ ପ୍ରତ୍ୟାଶା ରାୟଙ୍କୁ ଓସ୍ଜା ବାର୍ଷିକ ପୁରସ୍କାର ଆକାରରେ ନଗଦ ୨୫ହଜାର ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯିବ । ସର୍ବଭାରତୀ କ୍ରୀଡା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଓସ୍ଜା ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି । ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟବଲର ଦେବ ସିଂହ । ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ କୋଚ ବ୍ରଜଭୂଷଣ ମହାନ୍ତି । ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟଂସ୍ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା, ୨୦୨୩ମସିହାରେ ସାଇକ୍ଲିଷ୍ଟି ସ୍ୱସ୍ତି ସିଂ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ତଥା ୨୦୨୪ମସିହାରେ ଜାଭେଲିନ୍ ଷ୍ଟାର କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋଉତ୍ତଳକ ବିଜୟ ଶତପଥିଙ୍କୁ ପ୍ରଦାନ କରାଯାଇଥିଲା ଓସ୍ଜା ବାର୍ଷିକ ପୁରସ୍କାର ।