Latest Odisha News

BREAKING NEWS

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍, ୮ ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା ଏସ୍‌ଟିଏଫ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ୍ ମାମଲାରେ ଗିରଫ ହୋଇଥିବା ପ୍ରୀତମ କର ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରୀତମର ୮ଟି ବ୍ୟାଙ୍କ ଆଉଣ୍ଟ ଅଚଳ କରିଛି ଏସଟିଏଫ୍। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରରେ ପ୍ରୀତମର ୮ଟି ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଜମା ଥିଲା। ସମସ୍ତ ବ୍ୟାଙ୍କ ଆକାଉଣ୍ଚକୁ ଫ୍ରିଜ୍ କରାଯାଇଛି। ଏହି ମାମଲା ସହ ସମ୍ପୃକ୍ତ ଆହୁରି ୨ ଦଲାଲଙ୍କୁ ଖୋଜୁଛି ଏସଟିଏଫ୍।

ସୂଚନା ଅନୁସାରେ, ଓଡ଼ିଶାର ପ୍ରି-ଆକ୍ଟିଭ୍ ସିମ୍‌କୁ ବ୍ୟବହାର କରି ପ୍ରୀତମ୍‌ ତାଙ୍କ ମୋବାଇଲରେ ଅନେକ ଗ୍ରୁପ୍‌ ଖୋଲିବା ସହିତ ହ୍ବାଟ୍‌ସଆପ୍ ମାଧ୍ୟମରେ ପାକିସ୍ତାନର ଆଇଏସ୍‌ଆଇ ସଂସ୍ଥାକୁ ଓଟିପି ପଠାଉଥିଲେ। ଏହା ବଦଳରେ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳୁଥିଲା। ଏସମ୍ପର୍କରେ ତଥ୍ୟ ହାସଲ କରିବା ପରେ ପ୍ରୀତମ୍‌ଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ତାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇସାରିଲେଣି। ଏସଟିଏଫର ଜଣେ ଡିଏସପି ରାଙ୍କ ଅଧିକାରୀ ଯାଜପୁର ବରୀ ଥାନା ରାମଚନ୍ଦ୍ରପୁରର ଗାଁକୁ ଯାଇ ତଦନ୍ତ ଚଳାଇଛନ୍ତି।

ପ୍ରୀତମ ଘରୁ ୧୬ ଟି ମୋବାଇଲ, ଗୋଟିଏ ପ୍ରିଣ୍ଟର, ଏଟିଏମ କାର୍ଡ, ଅନେକ ସିମ୍ କାର୍ଡ ଜବତ ହୋଇଛି। ଅନ୍ୟପଟେ ପ୍ରୀତମକୁ ରିମାଣ୍ଡ ଆଣିବାକୁ ଅଦାଲତରେ ଆବେଦନ କରାଯିବ। ରିମାଣ୍ଡ ବେଳେ ଅନେକ ଖୋଳତାଡ କରାଯିବ। ଏସଟିଏଫ ସୂଚନା ଅନୁସାରେ, ଏହି ସ୍କାମରେ ଆହୁରି କିଛି ଦଲାଲ ସମ୍ପୃକ୍ତ ଅଛନ୍ତି। ଯେଉଁମାନେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଓ ଆଇଏସଆଇଏସ ଏଜେଣ୍ଟ ମାନଙ୍କୁ ଓଟିପି ସେୟାର କରିଛନ୍ତି। ସେମାନଙ୍କୁ ବେନାମୀ ଡିଜିଟାଲ ଆକାଉଣ୍ଟ ପଠାଇଛନ୍ତି। ଏସଟିଏଫ ସେମାନଙ୍କ ଏକ ତାଲିକା ବନାଇଛି। ଖୁବ ଶୀଘ୍ର ସମସ୍ତଙ୍କୁ ଧରିବ ଏସ୍‌ଟିଏଫ୍।

Comments are closed.