ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି। ଏହି ଅବସରରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିଲେ। ଏ ନେଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟି ନୂଆ ପିସିସି ସଭାପତି ନିଯୁକ୍ତ କରିବା ଉପରେ କହିଥିଲେ ବୋଲି କହିଛନ୍ତି।
ସଭାପତି ପଦରୁ ତାଙ୍କୁ ଅବ୍ୟାହତ ଦେଇଥିବାରୁ ନିରଞ୍ଜନ ପଟ୍ଟନାୟକ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ପୂର୍ବତନ ଓଡିଶା ପ୍ରଭାରୀ ଜଗଦିଶ ଟାଇଟଲର, ଜିତେନ୍ଦ୍ର ସିଂହ ଏବଂ ବର୍ତ୍ତମାନର ପ୍ରଭାରୀ ଚେଲ୍ଲା କୁମାରଙ୍କୁ ନିରଞ୍ଜନ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ପୂର୍ବରୁ ପିସିସି ସଭାପତି ପଦରେ ରହିଥିଲେ । ତାଙ୍କର ଅଭିଜ୍ଞତା, ଯୋଗ୍ୟତା ରହିଛି। ତେଣୁ ସେ ଦଳକୁ ଏକାଠି କରି ମଜବୁତ କରିବେ ବୋଲି ନିରଞ୍ଜନ ଆଶା ରଖିଥିବା କହିଛନ୍ତି।
ତେବେ ଦଳର ଯେଉଁ ଆଶା ଥିଲା ତାହା ସେ କରିବାରେ ବିଫଳ ହୋଇଥିବାରୁ ଦଳର ଅବସ୍ଥା ଏପରି ହୋଇଛି ବୋଲି ନିରଞ୍ଜନ କହିଛନ୍ତି। ସେ ଦଳକୁ ଅନେକ ଆଗକୁ ନେବାକୁ ଚାହୁଁଥିଲେ। ହେଲେ ସେ ଏହା କରିବାରେ ବିଫଳ ହୋଇଥିବାରୁ ସେ ଅନୁତପ୍ତ ବୋଲି କହିଛନ୍ତି। ପିସିସି ସଭାପତିରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ପାଇଁ ଶେଷ ନିଃଶ୍ୱାସ ଥାଏ ଯାଏ କାମ କରିବେ ବୋଲି ସେ କହିଛନ୍ତି। ନିକଟରେ ରାଜସ୍ଥାନ ଉଦୟପୁରରେ ଚିନ୍ତନ ଶିବିର ଆୟୋଜିତ ହୋଇଥିଲା। ଦଳର ମାର୍ଗଦର୍ଶନ ଅନୁସାରେ ସମସ୍ତ କଂଗ୍ରେସ କର୍ମୀ କାମ କରିବେ ବୋଲି ନିରଞ୍ଜନ କହିଛନ୍ତି। ଏଥିସହ ସେ ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯିବେ ବୋଲି ମଧ୍ୟ କହିଛନ୍ତି।
ପ୍ରେସମିଟ୍ ବେଳେ କେନ୍ଦ୍ର ସରକାରକୁ ନିରଞ୍ଜନ ଘେରିଛନ୍ତି । ତେଲ ଦର ଗୋଟିଏ ପଟେ କମିଛି ଅନ୍ୟପଟେ ଆଇରନ ଉପରେ ଟ୍ୟାକ୍ସ ବଢାଇଛି କେନ୍ଦ୍ର । ତେଣୁ ଦରଦାମ କେମିତି ନିୟନ୍ତ୍ରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକଙ୍କ ପାଖରେ ଏହି ସବୁ ପ୍ରସଙ୍ଗ ପହଞ୍ଚାଇ କଂଗ୍ରେସ ମଜବୁତ ହୋଇପାରିବ ବୋଲି ସେ କହିଛନ୍ତି।
Comments are closed.