ଭୁବନେଶ୍ୱର: ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ଆତ୍ମହତ୍ୟାର ଦିନଟିଏ ଯାଇଛି, ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ୨୪ ଘଣ୍ଟାରେ ରାଜଧାନୀରେ ଦୁଇ ଦୁଇ ଜଣ ଛାତ୍ରଙ୍କ ଆତ୍ମହତ୍ୟା । ଓଡ଼ିଶା ୟୁୁନିଭର୍ସିଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (OUTR) ର ଛାତ୍ର ରସି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ଶୁଭ୍ରଜ୍ୟୋତି ରାଉତ । ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲାରେ ।
ଶୁଭ୍ରଜ୍ୟାେତି ଇଣ୍ଟିଗ୍ରେଟେଡ ଏମଏସସି (ଫିଜିକ୍ସ)ର ଶେଷ ବର୍ଷର ଛାତ୍ର ଥିଲେ । ସେ ଘାଟିକିଆ ସ୍ଥିତ ହଷ୍ଟେଲରେ ରହୁଥିଲେ । ମିଳିଥିବା ଖବର ଅନୁସାରେ, ଶୁଭ୍ରଜ୍ୟୋତି ଗତ ରାତିରେ ପରିବାର ଲୋକଙ୍କ ସହ ଶେଷଥର ପାଇଁ କଥାବାର୍ତ୍ତା କରିଥିଲେ । ଆଜି ସକାଳୁ ପରିବାର ଲାେକେ ତାଙ୍କୁ କଲ କରିଥିଲେ । ହେଲେ ଶୁଭ୍ରଜ୍ୟାେତି କଲ ଧରି ନ ଥିଲେ ।
ଶେଷରେ ପରିବାର ଲାେକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
ପରିବାର ଲୋକେ ତାଙ୍କ ପୁଅକୁ କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ବାପା ଅଭୟ ରାଉତ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଥାଉ କି, ରବିବାର ସନ୍ଧ୍ୟାରେ କଟକ ଲ’ କଲେଜର ଜଣେ ଛାତ୍ର ଭୁବନେଶ୍ଟରର ଏକ ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
Comments are closed.