Latest Odisha News

BREAKING NEWS

ଏନସିଆରବିର ଚିନ୍ତାଜନକ ରିପୋର୍ଟ, ୨୦୧୭ରୁ ୨୦୧୯ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୨୪ ହଜାର ପିଲା

ନୂଆଦିଲ୍ଲୀ : ଦେଶରେ ବଢୁଛି ଆତ୍ମହତ୍ୟା । ଖାସକରି ୧୪ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ପିଲା କରିଛନ୍ତି ଆତ୍ମହତ୍ୟା । ଏଭଳି ଏକ ତଥ୍ୟ ପ୍ରକାଶ କରିଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି । ରିପୋର୍ଟ ଅନୁସାରେ, ୨୦୧୭ରୁ ୨୦୧୯ ମଧ୍ୟରେ ୧୩ ହଜାର ୩୨୫ ବାଳିକା ଆତ୍ମହତ୍ୟା କରିଛନ୍ତି । ୨୦୧୭ରେ ୮ ହଜାର ୨୯ ଜଣ ପିଲା ଆତ୍ମହତ୍ୟା କରିଥିବା ବେଳେ, ୨୦୧୮ରେ ୮ ହଜାର ୧୬୨ ଓ ୨୦୧୯ରେ ୮ ହଜାର ୩୭୭ ଜଣ ପିଲା ଆତ୍ମହତ୍ୟା କରିଛନ୍ତି ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ ସର୍ବାଧିକ ୩ ହଜାର ୧୧୫ ପିଲା ଆତ୍ମହତ୍ୟା କରିଥିବା ବେଳେ, ପଶ୍ଚିମବଙ୍ଗରେ ୨ ହଜାର ୮୦୨ ଜଣ ପିଲା ଆତ୍ମହତ୍ୟା କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଥିବା ତାମିଲନାଡୁରେ ୨ ହଜାର ୩୫ ଜଣ ପିଲା ଜୀବନ ହାରିଛନ୍ତି । ପରୀକ୍ଷାରେ ଫେଲ ହେବା କାରଣରୁ ସର୍ବାଧିକ ୪ ହଜାର ୪୬ ପିଲା ଆତ୍ମହତ୍ୟାର ବାଟ ଆପଣାଇଛନ୍ତି । ବୈବାହିକ କାରଣକୁ ନେଇ ୬୩୯ ପିଲା ଆତ୍ମହତ୍ୟା କରିଛନ୍ତି । ସେହିପରି ପ୍ରେମ ବ୍ୟାପାରକୁ ନେଇ ୩ ହଜାର ୩୧୫ ପିଲା ଆତ୍ମହତ୍ୟା କରି ଥିବା ବେଳେ, ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଛନ୍ତି ୨ ହଜାର ୫୬୭ ପିଲା ।

ଅବସାଦ, ବିଶ୍ବାସର ଅଭାବ, ପ୍ରତିଯୋଗିତାରେ ହାରିବା, ଆର୍ଥିକ ଅସ୍ଥିରତା, ମାନସିକ ଚାପ ଭଳି ବିଭିନ୍ନ କାରଣରୁ ଅଧିକାଂଶ ପିଲା ଆତ୍ମହତ୍ୟା କରିଛନ୍ତି । ଏହାସହ ନିଶାଦ୍ରବ୍ୟ ସେବନ, ଅନୈତିକ ସମ୍ପର୍କରୁ ଗର୍ଭବତୀ, ବେକାରୀ, ଦାରିଦ୍ର୍ୟ କାରଣରୁ ବି କିଛି ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.