Latest Odisha News

BREAKING NEWS

ରାଜ୍ୟର ୨୮ ହଜାର ଗାଁକୁ ଏବେ ବି ପାଇପ୍ ଯୋଗେ ପାଣି ସଂଯୋଗ ହୋଇପାରିନି

ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ କହିଛନ୍ତି ଯେ, ଓଡ଼ିଶାର ୨୮ ହଜାର ଗାଁକୁ ଏଯାବତ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ରାଜ୍ୟର ମୋଟ ୪୭ ହଜାର ୨୭୪ଟି ଗାଁ ମଧ୍ୟରୁ ୧୯ ହଜାର ୧୩୧ଟି ଗାଁକୁ ପାଇପ୍ ଯୋଗେ ଜଳ ସଂଯୋଗ ଦିଆଯାଇଛି। ବାକି ୨୮,୧୪୩ଟି ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ କାମ ଚାଲିଛି, ଯାହାକି ରାଜ୍ୟର ମୋଟ ଗାଁର ପ୍ରାୟ ୬୦ ପ୍ରତିଶତ।

ଉଲ୍ଲେଖଯୋଗ୍ୟ, ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨ହଜାର ୭୨୭ଟି ଗାଁକୁ ଏପର୍ଯ୍ୟନ୍ତ ପାଣି ସଂଯୋଗ ମିଳିନାହିଁ। ଜିଲ୍ଲାରେ ଥିବା ୩ ହଜାର ୭୨୦ଟି ଗ୍ରାମ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୯୩ଟି ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମୟୂରଭଞ୍ଜ ପରେ କନ୍ଧମାଳରେ ୨ ହଜାର ୩୬୭ଟି ଗ୍ରାମରୁ ମାତ୍ର ୧୦୦ଟି ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ ହୋଇଛି ବୋଲି ସେ କହିଛନ୍ତି।

୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୦ ବର୍ଷରେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମୋଟ ୨୩ ହଜାର ୨୮୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଦୀପ ଅମାତ କହିଛନ୍ତି। ୨୦୧୩-୧୪ରେ ଏହି ପ୍ରକଳ୍ପ ପାଇଁ ସରକାର ୪୪୧.୭୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୫,୯୧୩.୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି।

Leave A Reply

Your email address will not be published.